
-
୬ରେ ମତାଦାତା ସୂଚୀ, ୭ରେ ନାମାଙ୍କନ ପତ୍ର ଏବଂ ୮ରେ ଚୁଡ଼ାନ୍ତ ଫଳ ପ୍ରକାଶ ହେବ: ଡ. ଯତୀନ ମହାନ୍ତି
ଭୁବନେଶ୍ୱର, ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ କିଛି ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ଥିବା ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ସମୟ ସାରଣୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପ୍ରକ୍ରିୟା ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ଦିନ ଶେଷ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ସହ ନିର୍ବାଚନ ଅଧିକାରୀ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି ।
ଡ. ମହାନ୍ତି କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହୁଏ । ଏଥିରେ ଦଳର ବୁଥ୍ସ୍ତରରୁ ଆରମ୍ଭ କରି କେନ୍ଦ୍ରସ୍ତର ପର୍ଯ୍ୟନ୍ତ ନିର୍ବାଚନ କରାଯାଏ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଏବେ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅବସରରେ ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟାରୁ ୨ଟା ସୁଦ୍ଧା ମତଦାତାଙ୍କ ସୂଚୀ ଉପରେ ବିଭିନ୍ନ ଆପତି ଅଭିଯୋଗର ଯାଂଚ କରାଯିବା ପରେ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇବ । ଜୁଲାଇ ୭ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ଉପରୋକ୍ତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ । ମଧ୍ୟାହ୍ନ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ୪ଟା ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଂଟନ କରାଯିବ । ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି ବୋଲି ଡ. ମହାନ୍ତିି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।