
-
ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଓ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା
ଭୁବନେଶ୍ୱର-ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗତକାଲି ତିନି ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦାବିକୁ ବିଚାର କରିବାକୁ କହିଥିଲେ । ଏଥିସହ ରାଜ୍ୟରୁ ଚାଉଳ ଉଠାଣରେ ଭାରତୀୟ ଖାଦ୍ୟ ନିଗମ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଚାଉଳ ଓ ଧାନ ସଂଗ୍ରହ ବାବଦକୁ ଥିବା ରାଜ୍ୟର ବକେୟା ପ୍ରାପ୍ୟ ପ୍ରଦାନ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଶ୍ରୀ ଯୋଶୀ ଏହାକୁ ବିଚାରକୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଏହି ଦିଲ୍ଲୀ ଗସ୍ତ ଅବସରରେ ଦିଲ୍ଲୀ ଖାଦ୍ୟ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶକ୍ତିକାନ୍ତ ଦାସ ଓ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶାର ସ୍ୱାର୍ଥ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଗସ୍ତ ଅବସରରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।