
ଜୟପୁର- ଦେବଦୂତ ସାଜି ପ୍ରଖର କେନାଲ ପାଣିରେ ଭାସି ଯାଉଥିବା ବ୍ୟକ୍ତିକୁ ଦୁଇ ଜଣ ନାବାଳକ ଉଦ୍ଧାର କରି ଆଜି ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଘଟଣାରେ ଦୁଇ ନାବାଳକ ସାହାସିକତାର ପରିଚୟ ଦେଇଥିବାରୁ ଟାଉନ ପୋଲିସ ପକ୍ଷରୁ ମଧ୍ୟ ଉଭୟଙ୍କୁ ପୁରସ୍କୃତ କରାଯାଇଛି । ଏପରି ଘଟଣା ଆଜି କୋରପୁଟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜୟପୁର ମୁଖ୍ୟ କେନାଲ କଡ଼ ଦେଇ ସବୁ ଦିନ ପରି ଆଜି ସକାଳେ ଜୟପୁରର ଵାଲାଜୀ ସାହୁ (50) ମର୍ଣ୍ଣିଂ ଓ୍ବାକ କରି ଯାଉଥିଲେ। ହଠାତ୍ ପୁରୁଣାଗଡ଼ ନିକଟରେ ମୁଣ୍ଡ ବୁଲେଇବାରୁ ସେ ସେଠାରେ ବସି ପଡ଼ିଥିଲେ। ବସିବା ପରେ କିଛି ସମୟ ଭିତରେ କେନାଲ ମଧ୍ୟକୁ ଖସି ପଡିଥିଲେ । ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଉଥିବା ସମୟରେ ଡ଼ଙ୍ଗାଗୁଡାର ସଞ୍ଜୟ ପୂଜାରୀ ଓ କିଷାନ ମାଝୀ କେନାଲ ମଧ୍ୟକୁ ଡେଇଁ ଵାଲାଜିଙ୍କୁ ଉଦ୍ଧାର କରିଥିଲେ।
ଖବର ପାଇ ଟାଉନ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଥିବାବେଳେ ଗୁରୁତର ଅଵସ୍ଥାରେ ଉଦ୍ଧାର କରାଯାଇଥିବା ବାଲାଜୀଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ହେବାରୁ ପୋଲିସ ଓ ଦୁଇ ନାବାଳକ ଵାଲାଜୀଙ୍କୁ ତାଙ୍କ ଘରେ ନେଇ ଛାଡିଥିଲେ।
ଵାଲାଜୀଙ୍କ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଫେରିଥିବାରୁ ବାଷ୍ପରୁଢ଼ କଂଠରେ ଭାବ ବିହ୍ବଳ ହୋଇ ଭଗବାନ ହିଁ ଦୁଇ ନାବାଳକଙ୍କୁ ଦୂତ କରି ପଠାଇ ଥିବା କହିଛନ୍ତି । ଏପରି ମହନୀୟ କାର୍ଯ୍ୟ ପାଇଁ ଦୁଇ ନାବାଳକଙ୍କ ନିକଟକୁ ସମସ୍ତ ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।