
ଭୁବନେଶ୍ୱର – ଜାତୀୟ ଶିକ୍ଷାନିତି ଆଧାରରେ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଖୋଲଯାଇଥିଲେ ମଧ୍ୟ ଭିତିଭୂମିର ବିକାଶ କରାଯାଇ ନାହିଁ କିମ୍ବା ସେମାନଙ୍କୁ ପାଠ ପଢାଇବାକୁ ଗୋଟିଏ ହେଲେ ଶିକ୍ଷକ ନିଯୁକ୍ତି ହୋଇନାହାଁନ୍ତି। ବର୍ତମାନ ଆମ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ପଦରେ ୯୦ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ତାହାକୁ ପୂରଣ ନକରି ଏବେ ଶିଶୁ ସେବିକା ନିଯୁକ୍ତି କରିବାକୁ ଘୋଷଣା କରିଛନ୍ତି। ଶିଶୁ ସେବିକାମାନେ ବିଦ୍ୟାଳୟରେ ବାଲ ବାଟିକା ଶ୍ରେଣୀର ପିଲାମାନଙ୍କର ଯଦି ଯତ୍ନ ନେବେ ତେବେ ସେମାନଙ୍କୁ ପାଠ ପଢାଇବ କିଏ ବୋଲି ପ୍ରଶ୍ନ କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା)। ୧୯୯୭ ମସିହା କ୍ୟାଡ଼ରରେ ପ୍ରାଥମିକ ଶିକ୍ଷକ ପଦବୀ ୧,୩୬,୬୬୯ ଥିବାବେଳେ ୨୦୧୦ ମସିହାରେ ଶିକ୍ଷା ଅଧିକାର ଆଇନ ଯୋଗୁଁ ୮ମ ଶ୍ରେଣୀ ଓ ଜାତୀୟ ଶିକ୍ଷାନୀତି ଆଧାରରେ ଶିଶୁ ବାଟିକା ପ୍ରାଥମିକ ବିଦ୍ୟାଳୟରେ ଖୋଲିବା ପରେ ଗୋଟିଏ ହେଲେ ନୂଆ ପଦବୀ ସୃଷ୍ଟି କରାଯାଇ ନାହିଁ। ଜୁନ୍ ୧୩ ତାରିଖରେ ଆମ ସଂଘ ସହିତ ଗଣଶିକ୍ଷା ସଚିବ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀମାନେ ପ୍ରାଥମିକ ଶିକ୍ଷାରେ ୪୫ ହଜାର ନୂଆ ପଦବୀ ସୃଷ୍ଟି ହେବ ଓ ପ୍ରାଥମିକ ଶିକ୍ଷକମାନଙ୍କର ଦାବିଗୁଡ଼ିକ ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଯାହା ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ପୂରଣ କରୁନାହାଁନ୍ତି ବୋଲି ସଂଘ ଅଭିଯୋଗ କରିଛି।
ପ୍ରାଥମିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ଭିତ୍ତିଭୂମିର ବିକାଶ କରିବା ସହିତ ନୂଆ ପଦବୀ ସୃଷ୍ଟି କରାଯାଇ ଚାକିରି ସର୍ତାବଳୀ ଥାଇ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ସଂଘ ଦାବି କରିଛି। ଗୋଟିଏ ପଟେ କମ୍ ଶିକ୍ଷକ ଓ ଶିକ୍ଷକମାନଙ୍କୁ ୫୦ଟିରୁ ଅଧିକ ଅଣଶିକ୍ଷା କାର୍ଯ୍ୟରେ ନିୟୋଜିତ କରିବା ଯୋଗୁ ଶିକ୍ଷକମାନେ ଚାପଗ୍ରସ୍ତ ହେଉଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ପୁନଶ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ବହୁ ଦିନର ଦାବି ଯଥା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରିବା, ପୁରୁଣା ପେନସନ ଲାଗୁ କରିବା, ଖାଲିଥିବା ପଦବୀକୁ ପଦୋନ୍ନତି କରିବା, ସ୍ୱାସ୍ଥ୍ୟବୀମା ଲାଗୁ କରିବା ଆଦି ଦାବିଗୁଡ଼ିକ ସରକାର ତୁରନ୍ତ ପୂରଣ କରିବାକୁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସମ୍ପାଦକ ବିଭୂପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି।