ବାରିପଦା- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୦ ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ମୟୂରଭଞ୍ଜ ଜିଲାରେ ଥିବା ୬୧୦ଟି ହାଇସ୍କୁଲର ୩୩ ହଜାର ୨୨୦ ରେଗୁଲାର ଓ ୧ ହଜାର ୮୫୩ ଏକ୍ସ-ରେଗୁଲାର ଏହିପରି ମୋଟ୍ ୩୫,୦୭୩ ପରୀକ୍ଷାର୍ଥୀ ୧୭୧ଗୋଟି ପରୀକ୍ଷା କେନ୍ଦ୍ର ମାଧ୍ୟମରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି ।
ସେହିପରି ଜିଲାର ବାରିପଦା ପୌରପରିଷଦସ୍ଥିତ ଭଞ୍ଜପୁର, ପଳାଶମୁଣ୍ଡଳୀ ଡ଼ିଏନ୍ ହାଇସ୍କୁଲ, କୁମ୍ଭାରମୁଣ୍ଢାକଟା ହାଇସ୍କୁଲ, ବିଜାତଳା ହାଇସ୍କୁଲ, ଠାକୁରମୁଣ୍ଡା ସରକାରୀ ଏସଏସଡ଼ି ହାଇସ୍କୁଲ ଓ ଉଦଳାର ନାଗପାଳ ହାଇସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ(ଏସଓଏସସି) ପରୀକ୍ଷା ଦେଉଥିବା ୧୪୫୯ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ୧୨୬୮ ଜଣ ଫ୍ରେସ ଓ ୧୯୧ ଜଣ ବ୍ୟାକ୍ ପରୀକ୍ଷାର୍ଥୀ ରହିଛନ୍ତି । ଏଥି ସହିତ ମ୍ୟାଟ୍ରିକ୍ ପରୀକ୍ଷା ସହିତ ସଂସ୍କୃତ ମଧ୍ୟମା ପରୀକ୍ଷା ମଧ୍ୟ ହେଉଅଛି ଓ ଜିଲାରେ ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ରାସଗୋବିନ୍ଦପୁରର ବିଆରବିପି ଓ କପ୍ତିପଦା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମୋଟ୍ ୩୨୪ ଜଣ ରେଗୁଲାର ଏବଂ ୭ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ସଂସ୍କୃତ ମଧ୍ୟମା ପରୀକ୍ଷାରେ ବସିବାର ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଜିଲାର ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ମୋଟ୍ ୧୮୦ଟି ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରଶ୍ନପତ୍ରଗୁଡ଼ିକୁ ସୁଚାରୁ ଭାବେ ନିର୍ଦ୍ଧାରିତ ସମୟରେ ପହଁଚାଇବା ନିମନ୍ତେ ବାରିପଦା ଏମକେସି ହାଇସ୍କୁଲ, ମୋରଡ଼ା ଜିବି ସରକାରୀ ନୋଡ଼ାଲ ହାଇସ୍କୁଲ, ବେତନଟୀ ଏମପିସି ହାଇସ୍କୁଲ, ବାଙ୍ଗିରିପୋଷି ନୂତନ ସରକାରୀ ନୋଡ଼ାଲ ହାଇସ୍କୁଲ, ଶୁଳିଆପଦା ନୂତନ ସରକାରୀ ହାଇସ୍କୁଲ, ଉଦଳା ହାଇସ୍କୁଲ, ରାଇରଙ୍ଗପୁର ହାଇସ୍କୁଲ, କରଞ୍ଜିଆ ହାଇସ୍କୁଲ, ଯଶୀପୁର ସରକାରୀ ହାଇସ୍କୁଲ, ଠାକୁରମୁଣ୍ଡା ନୂତନ ସରକାରୀ ହାଇସ୍କୁଲ ଏହିପରି ମୋଟ୍ ୧୮ଟି ନୋଡ଼ାଲ କେନ୍ଦ୍ର ଖୋଲାଯାଇଛି । ପରୀକ୍ଷା ଆରମ୍ଭର ଦୁଇ ଦିନ ପୂର୍ବରୁ ପ୍ରତ୍ୟେକ ସିଟିଂର ପ୍ରଶ୍ନପତ୍ରଗୁଡ଼ିକ ପ୍ରତ୍ୟେକ ନୋଡ଼ାଲ କେନ୍ଦ୍ରରେ ପହଁଚିବା ପରେ ସେଠାରୁ ପରୀକ୍ଷା ପୂର୍ବ ଦିନ ସ୍ୱତନ୍ତ୍ର ଯାନ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନିର୍ଦ୍ଧାରିତ ସିଟିଂର ପ୍ରଶ୍ନପତ୍ରଗୁଡ଼ିକୁ ପହଁଚ।।ଇ ଦେବାର ବ୍ୟବସ୍ଥା କରାଯାଇଛି । ସେହିପରି ପରୀକ୍ଷା ଶେଷ ହେବା ପରେ ଉତର ଖାତାଗୁଡ଼ିକୁ ନୋଡ଼ାଲ କେନ୍ଦ୍ର ସଂଗ୍ରହ କରି ପରବର୍ତି ସମୟରେ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରାଯାଇଛି ।
ମେଟ୍ରିକ ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଓ କେବଳ ଗଣିତ ବିଷୟ ୧୨.୪୫ ମିନିଟ ପର୍ଯ୍ୟନ୍ତ ଚାଲୁ ରହୁଥିବା ସମୟରେ ପରୀକ୍ଷା ଆରମ୍ଭ ଦିନ ସମସ୍ତ ପରୀକ୍ଷାର୍ଥୀ ପୂର୍ବାହ୍ନ ୯.୧୫ ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି । ୨୦୨୦ ମେଟ୍ରିକ ପରୀକ୍ଷାକୁ ମୟୂରଭଞ୍ଜ ଜିଲାରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯିବା ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇସାରିଛି । ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ତାଲିମ୍ ଶିବିର ଆୟୋଜନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ସ୍ୱତନ୍ତ୍ର ତାଲିମ୍ ଯୋଗାଇ ଦିଆଯାଇଛି ଏବଂ ପରୀକ୍ଷାରେ କପିକୁ ରୋକିବା ନିମନ୍ତେ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯାଇଛି । ଏଥି ସହିତ ମାଧ୍ୟମିକ ଶିକ୍ଷା ପରିଷଦ, ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ର ବ୍ୟବସ୍ଥା ରହିଥିବାର ଜଣାପଡ଼ିଛି ।