ଭୁବନେଶ୍ୱର- ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରେ ଚାଲିଥିବା ଜାତୀୟସ୍ତରୀୟ ହସ୍ତତନ୍ତ ମେଳାରେ ଶୁକ୍ରବାର ବରଗଡ଼ ଜିଲ୍ଲାର ଦୁଇଜଣ ପଶାପାଲି ବସ୍ତ୍ର ବୁଣାକାରଙ୍କୁ ବୟନିକା ତରଫରୁ ‘ବୟନ ସମ୍ମାନ’ ରେ ସମ୍ମାନିତ କରାଯାଇଛି । ସେମାନେ ହେଲେ ଅତାବିରା ବ୍ଲକ ବନହର ଗ୍ରାମର ପ୍ରେମଚାନ୍ଦ ମେହେର ଏବଂ ବରଗଡ଼ ବ୍ଲକ ଗୁଡ଼େଶିରା ଗ୍ରାମର ବସନ୍ତ କୁମାର ମେହେର ।
ମେଳାରେ ଶାଢୀ ଡ୍ରେସ୍ସେଟ୍ ଓ ଡ୍ରେସ୍ ମ୍ୟାଟେରିଆଲ୍, ରୁମାଲ୍, ସାର୍ଟ କପଡ଼ା, ଲମ୍ବା ଥାନ, ବେଡ଼ସିଟ୍ ଓ ୱାଲ୍ ହ୍ୟାଙ୍ଗିଙ୍ଗ୍ ଆଦି ପଶାପାଲି ବସ୍ତ୍ରର ଗ୍ରାହକ ମାନଙ୍କ ମଧ୍ୟରେ ବିଶେଷ ଚାହିଦା ରହିଅଛି । ଟାଣି ଓ ଭରଣି ଦୁଇପଟେ ବାନ୍ଧ ସୂତା ବ୍ୟବହାର କରି ଛବି ର ଏକ ସଲିଡ଼ ରୁପ ଦିଆଯାଏ । ଏହାକୁ ଡବଲ୍ ଇକତ୍ କୁହାଯାଏ । ପଶାପାଲି ବସ୍ତ୍ର ଏହି ଡବଲ୍ ଇକତ୍ ବାନ୍ଧ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ସମ୍ବଲପୁରୀ ଇକତ୍ ମଧ୍ୟରେ ଡବଲ୍ ଇକତ୍ ରେ ପ୍ରସ୍ତୁତ ହେଉଥିବା ‘ପଶାପାଲି ବସ୍ତ୍ର’ ଗ୍ରାହକ ମାନଙ୍କ ମଧ୍ୟରେ ବିଶେଷ ଚାହିଦା ରହିଅଛି । ଏହି ପଶାପାଲି ନାମଟି ପଶା ଓ ପାଲି ନାମକ ଦୁଇଟି ଶବ୍ଦ କୁ ନେଇ ନାମିତ କରାଯାଇଅଛି । ‘ପଶା’ ଅର୍ଥ ପଶାକାଠି ଓ ‘ପାଲି’ ଚେସ୍ ବୋର୍ଡ଼ର ଚେକ୍ ପ୍ୟାଟନ୍ର୍ ର କଲର ପରି ଦୃଶ୍ୟମାନ ହୁଏ ।
ଗତକାଲି (ଗୁରୁବାର) ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୁଣାକାର ସେବା କେନ୍ଦ୍ରର ଉପ ନିର୍ଦ୍ଦେଶକ, ଶ୍ରୀ ୱାଇ. କେ. ସୁର୍ଯ୍ୟବଂଶୀ ମହୋଦୟ ଉଦ୍ଘାଟନ କରିଥିଲେ । ଓଡ଼ିଶା ସମେତ ୧୬ଟି ରାଜ୍ୟ ଏହି ମେଳାରେ ଭାଗ ନେଉଛନ୍ତି । ଏଣୁ ଗୋଟିଏ ଯାଗାରେ ଦେଶର ସମସ୍ତ ହସ୍ତତନ୍ତ ସାମଗ୍ରୀ ଉପଲବ୍ଧ । ଏହାଗ୍ରାହକମାନଙ୍କ ପାଇଁ ଏକ ବଡ଼ ସୁଯୋଗ । ଅନ୍ୟ ପକ୍ଷରେ, ବିଭିନ୍ନ ରାଜ୍ୟରୁ ଆସୁଥିବାବୁଣାକାରମାନେ ପରସ୍ପର ସହ ମତ ଓ ବୟନ ଶୈଳୀର ଆଦାନ ପ୍ରଦାନ କରି ମାର୍କେଟ୍ଚାହିଦା ମୁତାବକ ନୂତନ ଡିଜାଇନ୍ର ବସ୍ତ୍ର ଉତ୍ପାଦନ ପାଇଁ ସକ୍ଷମ ହୋଇପାରିବେ ବୋଲି ସେ କହିଥିଲେ ।
ଓଡ଼ିଶାର ଖ୍ୟାତି ସମ୍ପନ୍ନ ପ୍ରାର୍ଥନା ମଂଚର ପ୍ରାୟୋଜକ ବିଭୂ ପ୍ରସାଦ ନନ୍ଦ ଓ ସାଥୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଆସନ୍ତାକାଲି ଏହି ମେଳାରେ ଶ୍ରୀ ସୁନୀଲ ପରିଡ଼ାଙ୍କ ଦ୍ୱାରା ମୁମ୍ବାଇ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଅଛି । ଶ୍ରୀ ସୁନୀଲ ପରିଡ଼ା ମହମ୍ମଦ ରଫିଙ୍କର ନୂତନ ଅବତାରଣ ଭାବେ ଅତି ଜଣାଶୁଣା ।