
ଭୁବନେଶ୍ବର/ପୁରୀ,ତୁର୍ଦ୍ଧାମୂରତିଙ୍କ ମାନବୀୟ ଲୀଳାର ନିଦର୍ଶନ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ସାମୁହିକ ପ୍ରଚେଷ୍ଟାରେ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ସ୍ବାସ୍ଥ୍ଯ ଜନିତ ଜିରୋ କେଜୁଆଲଟି ଲକ୍ଷ୍ଯ ହାସଲ କରିଛି । ସେଥିପାଇଁ ମାନ୍ଯବର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ପୁରୀଠାରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଛନ୍ତି ।
ରଥଯାତ୍ରା-୨୦୨୫ ଅବସରରେ ସମନ୍ବିତ ଓ ସୁବ୍ୟବସ୍ଥିତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି l ପୁରୀଠାରେ ବିଭାଗର କ୍ଯାମ୍ପ ଅଫିସ୍ କାର୍ଯ୍ଯ କରୁଛି । ଏହି ବର୍ଷ ଅତିରିକ୍ତ ବେଡ଼ ସଂଖ୍ୟା ଗତ ବର୍ଷର ୧୪୦ରୁ ୨୬୫କୁ ବୃଦ୍ଧି କରାଯାଇଛି l ସ୍ୱାସ୍ଥ୍ୟସେବାକୁ ବ୍ୟାପକ ଏବଂ ତ୍ୱରିତ କରିବା ଉଦ୍ଦେଶ୍ୟରେ ଅନ୍ୟ ଜିଲ୍ଲାରୁ ୩୭୮ ଜଣ ଅତିରିକ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି । ଅତିରିକ୍ତ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଏଏମ୍ସ୍, ଭୁବନେଶ୍ୱର ପକ୍ଷରୁ ଚିକିତ୍ସା କେନ୍ଦ୍ରରେ ଏକ ବିଶେଷ ଡାକ୍ତର ଟିମ୍ ନିୟୋଜିତ ହୋଇ କାର୍ଯ୍ଯ କରୁଛନ୍ତି ।
ଜରୁରୀକାଳୀନ ଚିକିତ୍ସା ପରିବହନ ପାଇଁ ବ୍ୟାପକ ଆମ୍ବୁଲେନ୍ସ ନେଟୱାର୍କ ସୁନିଶ୍ଚିତ କରାଯାଇଛି । ୩୧ଟି ସରକାରୀ ଆମ୍ବୁଲାନ୍ସ ଏବଂ ସ୍ଵେଚ୍ଛା ସେସେବୀ ସହାୟତାରେ ୪୩ଟି ଆମ୍ବୁଲାନ୍ସକୁ ମିଶାଇ ମୋଟ ୭୪ଟି ଆମ୍ବୁଲାନ୍ସ ସେବାରେ ଅଛନ୍ତି । ଜନସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତ୍ତା, ନିରାପଦ ପାନୀୟ ଜଳ, ହାତ ଧୋଇବା ଏବଂ ସ୍ୱଚ୍ଛତା ପ୍ରୋଟୋକଲ, ଓଆର୍ଏସ୍ ବ୍ୟବହାର, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, କୋଭିଡ୍-୧୯ ପ୍ରତିରୋଧ ବ୍ୟବସ୍ଥା ଏବଂ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ବାବଦରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଅଭିଯାନ ଜାରି ରହିଛି ।
ରଥଯାତ୍ରା ସମୟରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସମନ୍ୱୟ କରିବା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ନିର୍ଦ୍ଦିଷ୍ଟ ରଥଯାତ୍ରା କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରୁଛି । ଯେକୌଣସି ଚିକିତ୍ସା ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା ପାଇଁ କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର +୯୧ ୬୩୭୦୫୬୦୨୪୭ ଏବଂ ଲ୍ୟାଣ୍ଡଲାଇନ ନମ୍ବର ୦୬୭୫୨-୨୨୨୧୭୫ରେ ଯୋଗାଯୋଗ ପାଇଁ ବ୍ଯବସ୍ଥା କରାଯାଇଛି ।
ବିଭାଗର ଏହି ସମସ୍ତ କାର୍ଯ୍ଯ ମାନ୍ଯବର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଜାରିରହିଛି । ମହାପ୍ରଭୁଂକ ରଥଯାତ୍ରା ସମୟରେ ଭକ୍ତବୃନ୍ଦଙ୍କୁ ଅବିରତ ସମର୍ପିତ ସ୍ବାସ୍ଥ୍ଯସେବା ଯୋଗାଇଥିବାରୁ ମାନ୍ଯବର ମନ୍ତ୍ରୀ ସମସ୍ତ ଡାକ୍ତର, ନର୍ସ, ସ୍ବାସ୍ଥ୍ଯକର୍ମୀ ଓ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।