
ମହାସମୁନ୍ଦ- ଜିଲ୍ଲାର ୫୩ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ଏକ ମୋଟରସାଇକେଲ ଚଳନ୍ତା ଟ୍ରକ୍ ପଛରେ ଧକ୍କା ଦେବା ଫଳରେ ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁଇ ମୃତକ ଆରଙ୍ଗର ବାସିନ୍ଦା । ତୁମଗାଓଁ ଥାନା ଅନ୍ତର୍ଗତ ଶେରେ ପଞ୍ଜାବ ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ତୁମଗାଓଁ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଶେରେ ପଞ୍ଜାବ ଢାବା ନିକଟରେ ଏକ ଗାଈକୁ ବଂଚାଇବାକୁ ଯାଇ ବାଇକ୍ ଟି ଏକ ଟ୍ରକ୍ ପଛରେ ଧକ୍କା ଦେଇଥିଲା । ଫଳରେ ବାଇକ୍ ରେ ଯାଉଥିବା ଦୁଇ ବନ୍ଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେମାନେ ହେଲେ ଆରଙ୍ଗର ପଟେଲ ଚୌକ ନିବାସୀ ଅନୁରାଗ ପଟେଲ (୧୯ ବର୍ଷ) ଏବଂ ଶୀତଲା ପାରା ନିବାସୀ ଯୁଗଳ ନିଷାଦ (୨୦ ବର୍ଷ) । ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ୍ ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।
କୁହାଯାଉଛି ଯେ, ଅନୁରାଗ ପଟେଲ ତୁମଗାଓଁ ଅଂଚଳରେ ଏକ ଢାବାରେ କାମ କରୁଥିଲେ । ଯୁଗଳ ନିଷାଦ ଅନୁରାଗଙ୍କୁ ଆରଙ୍ଗରୁ ଢାବାକୁ ଛାଡିବା ପାଇଁ ତାଙ୍କ ମୋଟରସାଇକେଲରେ ଯାଇଥିଲେ । କିନ୍ତୁ, ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।