
ଭୁବନେଶ୍ୱର- ତିନି ରଥରେ ବିରାଜିଛନ୍ତି ତିନି ଠାକୁର । ଭକ୍ତ ଓ ଭଗବାନ ଏକାକାର । ଭକ୍ତିମୟ ହୋଇଉଠିଛି ବଡଦାଣ୍ଡ । ଘଣ୍ଟଘଂଟା, ହରିବୋଲରେ ଉଚ୍ଛୁଳି ଉଠୁଛି ବଡଦାଣ୍ଡ । କିଏ କାଳିଆ ବେଶ ଧାରଣ କରିଛି ତ ଆଉ କିଏ ବଡ ଭକ୍ତ ହନୁମାନ ଭାବେ ନିଜକୁ ସଜେଇଛି ।
କୁନି କୁନି ପିଲାମାନେ ବି ସଜେଇ ହୋଇ ନାଚି ନିଜର ଭକ୍ତିଭାବ ପ୍ରଦର୍ଶନ କରିଛନ୍ତି । କାରଣ ବର୍ଷକୁ ଥରେ ଦାଣ୍ଡକୁ ଓହ୍ଲାଇ ଆସିଛି ଭକ୍ତର ଭଗବାନ । ନିଜ ଭକ୍ତମାନଙ୍କୁ ଦେଖା କରିବାକୁ । ପତିତମାନଙ୍କୁ ଉଦ୍ଧାର କରିବାକୁ । ସେଇଥିପାଇଁ ତ ସିଏ ପତିତପାବନ ।
ପୂର୍ବ ନିର୍ଦ୍ଧରିତ ନୀତି ନିର୍ଘଂଟ ଅନୁଯାୟୀ ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଛି। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଛି।
ପ୍ରଥମେ ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବଦଳନ ହେଉଛି ସୁଭଦ୍ରାଙ୍କ ରଥ । ଏହାପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଛନ୍ତି। ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ ହୋଇଥିଲା। ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ସାଢେ ୪ଟାରେ ଗଡ଼ିବା ଆରମ୍ଭ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।