
ପୁରୀ– ଶୁକ୍ରବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମସ୍ଥଳୀ ଆଡପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ବର୍ଷକରେ ନଅ ଦିନ ଗୁଣ୍ଡିଚା ମନ୍ଦିରରେ ଗହଳି ଚହଳି ଲାଗେ । ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଥାଏ ଶ୍ରୀଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କ ବାହୁଡା ପହଣ୍ଡି ପରେ ନାକଚଣା ଦ୍ବାର ବନ୍ଦ ହୋଇଯାଏ ।
କଥିତ ଅଛି, ଘଞ୍ଚ ଜଙ୍ଗଲରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରକୁ ବାବନା ଭୂତ ଜଗିଥାଏ । ଶ୍ରୀଗୁଣ୍ଡିଚା ପୂର୍ବ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନା ଓ ଭୂତ ବାଡିଆ ଅନୁଷ୍ଠିତ ହୋଇଥିଲା । ଶ୍ରୀଚୈତନ୍ୟ ଗୁଣ୍ଡିଚା ମନ୍ଦିର ମାର୍ଜନା ପାଇଁ ଭକ୍ତ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିଦିନ ଠାରୁ ଗୌଡିୟ ବୈଷ୍ଣବ ଭକ୍ତ ମାନେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଛନ୍ତି । ଗୁରୁବାର ଶହ ଶହ ଗୌଡିୟ ଭକ୍ତ ମାନେ କଳସରେ ପାଣି ଓ ପହଁରା, ଟୋକେଇ, ଝାଡୁ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଓ ବାହାର ସଫା କରିଥିଲେ । ଶ୍ରୀଚୈତନ୍ୟ ଗୁଣ୍ଡିଚା ମନ୍ଦିର ଗମ୍ଭୀରାରେ ସିଂହାସନ ମାର୍ଜନା କରିଥିଲେ । ଜଗମୋହନ, ନାଟ ମଣ୍ଡପ, ରୋଷଶାଳା ଓ ମନ୍ଦିର ଚାରିପଟ ପଟେ ସଫା କରିଥିଲେ । ଏଥିସହ ଚୂନ ଓ ଚନ୍ଦନ ପାଣି ପକାଇ ପବିତ୍ର କରିଥିଲେ । ଏହିସବୁ ପରମ୍ପରାକୁ ବଜାୟ ରଖିବା ପାଇଁ ଗୌଡିୟ ଭକ୍ତ ମାନେ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ।