
-
ବର୍ଷବ୍ୟାପୀ ଆୟୋଜିତ ହେବ ସଚେତନତା କାର୍ଯ୍ୟକ୍ରମ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର ,ଅବକାରୀ ବିଭାଗ ପକ୍ଷରୁ ବେଆଇନ ମାଦକ କାରବାର ବିରୋଧରେ ପ୍ରଥମ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମର ଶେଷଦିନରେ ଏକ ଗ୍ରାଣ୍ଡ ୱାକାଥନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନ ବେଆଇନ ମାଦକ ଦ୍ରବ୍ୟର ବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବା ନେଇ ଆୟୋଜିତ ଏହି ୱାକାଥନ ଆଜି ସକାଳ ୬.୩୦ରୁ କଳିଙ୍ଗ ଷ୍ଟାଡିଅମର ଗେଟ୍ ନମ୍ବର ୪ରୁ ଆରମ୍ଭ ହୋଇ ଜନତା ମୈଦାନ ପର୍ଯ୍ୟନ୍ତ ଯାଇଥିଲା ।
ଏହି ୱାକାଥନକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରି କହିଲେ ଯେ ବର୍ତ୍ତମାନର ଯୁବସମାଜକୁ ବେଆଇନ ମାଦକ ଦ୍ରବ୍ୟ କବଳରୁ ଦୂରେଇ ରଖି ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ କରିବା ଆମର ଲକ୍ଷ୍ୟ । ଏଣୁ ସବୁବର୍ଗର ଲୋକଙ୍କୁ ନେଇ ବେଆଇନ ମାଦକ ଦ୍ରବ୍ୟ ବିରୋଧରେ ବର୍ଷବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ଉତ୍ସବରେ ବିଭାଗର କମିଶନର ତଥା ଆୟୁକ୍ତ ଗୁହା ପୁନମ ତାପସ କୁମାର, ଅବକାରୀ କମିଶନର ଧର୍ମେନ୍ଦ୍ର ମଲ୍ଲିକ, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିଃର ପରିଚାଳନା ନିର୍ଦ୍ଦେଶକ ଅମ୍ବର କରଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ମୋକ୍ଷ ଡାନ୍ସ ଗ୍ରୁପ୍ ପକ୍ଷରୁ ‘ ଆମ ସଂକଳ୍ପ’ ନାମକ ଅଭିଯାନ ସଂଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ପରେ ଲିପ୍ସା ଗ୍ରୁପ୍ ଦ୍ୱାରା ନିଶା ମୁକ୍ତି ଉପରେ ଏକ ନାଟକ ପରିବେଷିତ ହୋଇଥିଲା । ଶେଷରେ ‘ଭିଗ୍ନାଞ୍ଜ ବ୍ୟାଣ୍ଡ’ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ ୨୦୨୫ ମେ ୩୧ରୁ ଆରମ୍ଭ ହୋଇଥିବା ଏହି ମାସବ୍ୟାପୀ ଅଭିଯାନକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏହି ଅବଧି ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ବିଭିନ୍ନ ବିଭାଗ, ସ୍ୱୟଂସେବୀ ସଂସ୍ଥା, ବିଦ୍ୟାର୍ଥୀ, ସାଧାରଣ ଲୋକ ଓ ଖ୍ୟାତନାମା ବ୍ୟକ୍ତିମାନେ ସକ୍ରିୟ ଭାବେ ଅଂଶ ନେଇଥିଲେ । ବେଆଇନ ନିଶା କାରବାର ବିରୋଧରେ ସଚେତନତା ସୃଷ୍ଟି, ଅବୈଧ ଭାବେ ଉତ୍ପାଦିତ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ ରୋକିବା ଓ ଅନ୍ୟାନ୍ୟ ନିଷିଦ୍ଧ ପଦାର୍ଥ ବିରୁଦ୍ଧରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।