
ବଲାଙ୍ଗିର, ରାଜ୍ୟସରକାରଙ୍କ କେବିକେ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ଦ୍ଵାରା ଚାଲିଥିବା ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଁଞ୍ଚିଛି l ଆଜି ମଧ୍ୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ତାଲା ପକାଇ ଗେଟ୍ ସମ୍ମୁଖରେ ଧାରଣା ଚାଲିଛି l ଫଳରେ ଆଜି ମଧ୍ୟ ସରକାରୀ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟାଳୟକୁ ପଶି ନ ପାରି ଫେରି ଯାଇଛନ୍ତି l ଲୋକଙ୍କୁ ବିକାଶର ସ୍ୱପ୍ନ ଦେଖାଇ କ୍ଷମତାକୁଆସିଥିବା ସରକାର ଲୋକଙ୍କ ଉନ୍ନତିରେ ବାଧକ ସାଜିଛି। ବଲାଙ୍ଗୀର ଭଳି ଆକାଂକ୍ଷୀ ଜିଲ୍ଲାରେ ବର୍ଷେହେଲା ବିକାଶ ଠପ୍ ହୋଇଯାଇଛି । କେବିକେ ଭଳି ଜିଲ୍ଲାରେ ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷପଦ ଖାଲି ପଡିଛି । ତେଣୁ କୌଣସି ପ୍ରସ୍ତାବ ଅନୁମୋଦନ ହେଉନାହିଁ । ଠିକ ସେହିପରି ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ନିଯକ୍ତି ହେଉନାହିଁ କି ଅନୁଦାନ ଆସୁନାହିଁ । କେବିକେ ଅନୁଦାନ ମଧ୍ୟ ଗତ ଦୁଇବର୍ଷ ହେଲା ବଲାଙ୍ଗୀର ଜିଲ୍ଲାକୁ ଆସୁନାହିଁ । ସେପଟେ ଜିଲ୍ଲାପାଳ ନିର୍ବାଚିତ ପ୍ରତିନିଧିମାନଙ୍କ କଥା ଶୁଣୁନାହାଁନ୍ତି । ଏହି ସବୁ ଅଭିଯୋଗ ଉଠାଇ ଆଜି ବଲାଙ୍ଗୀର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କ ସହ ଅନ୍ୟ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜିଲ୍ଲାର ସମସ୍ୟା ତଥା ଜିଲ୍ଲାପାଳଙ୍କ ଅଣଦେଖାକୁ ନେଇ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ପାଖକୁ ଅଭିଯୋଗପତ୍ର ପଠାଇବା ପରେ ମଧ୍ୟ ସେପଟୁ କିଛି ଉତ୍ତର ନଆସିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛୁ ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଗଣମାଧ୍ୟମକୁ କହିଛନ୍ତି । ଆଜି ମଧ୍ୟ ଦିନ ୧୦ଟାରୁ ଅଧ୍ୟକ୍ଷା ଦେବକୀ ସାହୁ ସମେତ ଅନ୍ୟାନ୍ୟ ବିଜେଡି ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାମାନେ ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି । ଫଳରେ ଜିଲ୍ଲାପରିଷଦର ମୁଖ୍ୟ ନିର୍ବାହୀଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟକୁ ଯାଇ ନପାରି ଫେରିଯାଇଥିବା ଦେଖାଯାଇଥିଲା । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ସହକାରୀ ଜିଲ୍ଲାପାଳ ଆଲୋଚନା ପାଇଁ ଯାଇଥିଲେ କିନ୍ତୁ ସେମାନଙ୍କୁ ଫେରାଇ ଦିଆଯାଇଥିଲା l ଜିଲ୍ଲାପାଳ ନିଜେ ଆସି ଆଲୋଚନା କରନ୍ତୁ ବୋଲି ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ଅଭିଯୋଗ କରିଛନ୍ତି ଯେ,ଗତ ଗୋଟିଏ ବର୍ଷରୁ ଅଧିକ ସମୟ ହେଲା ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଖାଲି ପଡିଛି। ଫଳରେ ଜିଲ୍ଲାର ଉନ୍ନୟନପ୍ରସ୍ତାବଗୁଡିକ ଅନୁମୋଦିତ ହେଉନାହିଁ । ସରକାରଙ୍କ ଅପାରଗତା କାରଣରୁ ବର୍ଷେହେଲା ଜିଲ୍ଲାର ବିକାଶ ଠପ୍ ହୋଇଯାଇଛି। ଜିଲ୍ଲାକୁ କେବିକେ ତଥା ଅନ୍ୟାନ୍ୟ ଯୋଜନାରେ ଅନୁଦାନ ଆସୁନାହିଁ ସରକାର ନିଜେ ସମସ୍ୟାସୃଷ୍ଟି କରିଚାଲିଛନ୍ତି ବୋଲି ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଅଭିଯୋଗ କରିଛନ୍ତି ଓ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଆହୁରି ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।