
ନୂଆଦିଲ୍ଲୀ– ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଆସିଛି, ଯେତେବେଳେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆକ୍ସିଓମ୍ ମିଶନ୍-4 ଅନ୍ତର୍ଗତ ମହାକାଶକୁ ପାଦ ବଢାଇ ଏକ ନୂଆ ରେକର୍ଡ୍ ସ୍ଥାପନ କରିଛନ୍ତି।
ଏହି ମିଶନ୍ରେ ଆମେରିକା, ହଙ୍ଗେରୀ, ପୋଲାଣ୍ଡ ଓ ଭାରତର ମହାକାଶଯାତ୍ରୀମାନେ ସାମିଲ ହୋଇଛନ୍ତି, ଯେଉଁମାନେ ଅନ୍ତର୍ଜାତୀୟ ସହଯୋଗର ଏକ ପ୍ରତୀକ ଭାବରେ ବାହାରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସଫଳତାରେ ପ୍ରତିକ୍ରିୟା ଦେଇ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, “ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଭାରତ ପାଇଁ ମହାକାଶରେ ଏକ ନୂଆ ମାଇଲ୍ଖୁଂଟ ସ୍ଥାପନ କରିଛନ୍ତି। ଜଣେ ଭାରତୀୟଙ୍କ ତାରାମଣ୍ଡଳ ଯାତ୍ରାକୁ ନେଇ ସମଗ୍ର ଦେଶ ଉତ୍ସାହିତ ଓ ଗର୍ବିତ। ସେ ଏବଂ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ଆକ୍ସିଓମ୍-4 ମିଶନ୍ର ସାଥୀ ମହାକାଶଯାତ୍ରୀମାନେ ପ୍ରମାଣ କରିଛନ୍ତି ଯେ ବାସ୍ତବରେ ସମ୍ପୂର୍ଣ୍ଣ ବିଶ୍ୱ ଏକ ପରିବାର — ‘ଵସୁଧୈଵ କୁଟୁମ୍ବକମ୍।’
ଏହି ମିଶନ୍ର ସଫଳତା ପାଇଁ ମୋର ଶୁଭେଚ୍ଛା, ଯାହା ନାସା ଓ ଇସ୍ରୋ ମଧ୍ୟରେ ଏକ ସ୍ଥାୟୀ ବୁଝାମଣାକୁ ପ୍ରତିନିଧିତ୍ୱ କରେ। ଚାଳକ ଦଳ ଦ୍ୱାରା କରାଯାଇଥିବା ବ୍ୟାପକ ପରୀକ୍ଷା ଅନେକ ବୈଜ୍ଞାନିକ ଅଧ୍ୟୟନ ଓ ଅନ୍ତରିକ୍ଷ ଅନ୍ୱେଷଣର ନୂଆ ସୀମାକୁ ଜନ୍ମ ଦେବ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମିଶନକୁ ନେଇ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ସେ ଏକ୍ସ ପୋଷ୍ଟ ରେ କହିଛନ୍ତି ଯେ, “ମୁଁ ଭାରତ, ହଙ୍ଗେରୀ, ପୋଲାଣ୍ଡ ଓ ଆମେରିକାର ମହାକାଶଯାତ୍ରୀମାନଙ୍କୁ ନେଇ ଏହି ସଫଳ ମହାକାଶ ମିଶନକୁ ସ୍ଵାଗତ କରୁଛି। ଭାରତୀୟ ମହାକାଶଯାତ୍ରୀ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା, ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍କୁ ଯିବା ପଥରେ ଥିବା ପ୍ରଥମ ଭାରତୀୟ ଅଟନ୍ତି। ସେ ନିଜ ସହିତ 140 କୋଟି ଭାରତୀୟଙ୍କ ଇଚ୍ଛା, ଆଶା ଓ ଆକାଂକ୍ଷା ନେଇ ଯାଉଛନ୍ତି। ମୁଁ ତାଙ୍କୁ ଏବଂ ଅନ୍ୟ ମହାକାଶଯାତ୍ରୀମାନଙ୍କୁ ଏହି ମିଶନ୍ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।”