ଭୁବନେଶ୍ୱର- ରାଜ୍ୟରେ ଥିବା ଘରୋଇ ଇସ୍ପାତ କାରଖାନା ଗୁଡିକୁ କଂଚାମାଲ୍ ଯୋଗାଣ ନିମନ୍ତେ ପ୍ରଣୟନ କରାଯାଇଥିବା ଦୀର୍ଘ ମିଆଦୀ ଖଣିଜ ଯୋଗାଣ ନୀତିକୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ୱିତ କରିବା ପାଇଁ ଏହାର ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ କରିଛି । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟ ଖଣି ନିଗମ ଲିମିଟେଡ଼ ସହ ଦୀର୍ଘ ମିଆଦି ସଂଯୋଗରେ ଥିବା ଯେଉଁ କ୍ରେତା ମାନେ ଯାନ୍ତ୍ରିକ ଖଣିଜ ଉତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବା ପାଇଁ ଇଚ୍ଛୁକ ସେମାନେ ୫ ବର୍ଷରୁ ଉର୍ଦ୍ଧ୍ୱ ଦୀର୍ଘ ମିଆଦି ଖଣିଜ ଯୋଗାଣ ଚୁକ୍ତି କରିବା ପାଇଁ ଉପଯୁକ୍ତ ବିବେଚିତ ହେବେ । ଏହାଦ୍ୱାରା ରାଜ୍ୟ ଖଣି ନିଗମ ଜରିଆରେ ଅଧିକ ଖଣିଜ ଉତ୍ପାଦନ ହେବ । ଯେଉଁ ଖଣି ପଟ୍ଟାଧାରୀ ମାନଙ୍କର କ୍ରୋମ୍ ଖଣି ପଟ୍ଟା ରହିଛି, ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଏହାଦ୍ୱାରା କ୍ରୋମ୍ ଭଳି ଦୁଷ୍ପ୍ରାପ୍ୟ କଂଚାମାଲର ଉପଯୁକ୍ତ ବଜାର ନିର୍ଦ୍ଧାରଣ କରିହେବ ବୋଲି ମୁଖ୍ୟ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଶୁକ୍ରବାର ଦିନ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ପୃଥକ୍ ପୃଥକ୍ ସମୟରେ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ବାର୍ଷିକ ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ବେଳେ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା ।
କ୍ୟାବିନେଟ ବୈଠକ ପରେ ପରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଏଥିରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ପଂଚାୟତିରାଜ ଓ ପାନୀୟଜଳ ବିଭାଗର ଦୁଇଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ରାଜ୍ୟ ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରାଥମିକତା ଦେଉଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ତିନି ଗୋଟି ବ୍ଲକ ଅନ୍ତର୍ଗତ ୨୫ ଟି ଗ୍ରାମପଂଚାୟତ ଅଧିନରେ ଥିବା ୨୬୨ଟି ଗ୍ରାମରେ ଭୂତଳ ଜଳ ଖଣି ଦ୍ୱାରା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ଏହି ସମସ୍ତ ଗ୍ରାମକୁ ଓମବାଡ ଅର୍ଥ ସହାୟତାରେ ଭୂପୃଷ୍ଠ ଜଳକୁ ବିଶୋଧନ କରାଯାଇ ବିଶୁଦ୍ଧ ଜଳ ଯୋଗାଇଦେବା ନିମନ୍ତେ ତିନିଗୋଟି ବୃହତ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରକଳ୍ପ ଗୁଡିକ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ୧୧ଟି ଗ୍ରାମପଂଚାୟତ ଅଧିନରେ ଥିବା ୧୨୩ଟି ଗ୍ରାମର ୫୭ ହଜାର ୬୨୨ ଲୋକ ଉପକୃତ ହୋଇପାରିବେ । ସେହିପରି ଏହି ଜିଲ୍ଲାର କୋଇରା ବ୍ଲକ ଅନ୍ତର୍ଗତ ୭ଟି ଗ୍ରାମପଂଚାୟତ ଅଧିନରେ ଥିବା ୩୮ଟି ଗ୍ରାମପଂଚାୟତର ୨୭ ହଜାର ୯୨୮ ଲୋକ ଓ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ୭ଟି ଗ୍ରାମପଂଚାୟତ ଅଧିନରେ ଥିବା ୧୦୧ଟି ଗ୍ରାମର ୪୦ ହଜାର ୩୭୮ ଲୋକ ଉପକୃତ ହେବେ । ରାଜ୍ୟ କ୍ୟାବିନେଟ୍ ସମ୍ପୃକ୍ତ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର ମେସସ୍ ଭୋଲ୍ଟାସ୍ ଲିମିଟେଡ଼କୁ ୩୨୦ କୋଟି ୧୧ ଲକ୍ଷ ୨୦ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି । ଉକ୍ତ ପ୍ରକଳ୍ପ ଗୁଡିକୁ ୨୪ ମାସ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଅପରପକ୍ଷେ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ବ୍ଲକ୍ ଅନ୍ତର୍ଗତ ମୋଟ୍ ୩୮ଟି ଗ୍ରାମପଂଚାୟତ ଅଧିନରେ ଥିବା ୨୧୯ଟି ଗ୍ରାମରେ ଭୂତଳ ଜଳ ଖଣି ଦ୍ୱାରା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ଏ ସମସ୍ତ ଗ୍ରାମକୁ ଓମବାଡ଼ ଅର୍ଥ ସହାୟତାରେ ଦୁଇ ଗୋଟି ବୃହତ୍ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ୧୮ଟି ଗ୍ରାମପଂଚାୟତ ଅଧିନରେ ଥିବା ୧୦୦ଟି ଗ୍ରାମର ୯୭ ହଜାର ୮୭୨ ଲୋକ । ନୂଆଗାଁ ବ୍ଲକ ଅନ୍ତର୍ଗତ ୨୦ ଟି ଗ୍ରାମପଂଚାୟତ ଅଧିନରେ ଥିବା ୧୧୯ଟି ଗ୍ରାମର ୧ ଲକ୍ଷ ୬ ହଜାର ୧୫୬ ଲୋକ ଉପକୃତ ହୋଇପାରିବେ । ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର ଭୋଲ୍ଟାସ୍ କମ୍ପାନୀକୁ ୩୪୦ କୋଟି ୩୯ ଲକ୍ଷ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଉକ୍ତ ପ୍ରକଳ୍ପକୁ ୨୪ ମାସ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବୋଲି ପଂଚାୟତିରାଜ ବିଭାଗର ସଚିବ ଦେଓରଞ୍ଜନ ସିଂହ ସୂଚନା ଦେଇଛନ୍ତି ।