
ସୁବର୍ଣ୍ଣପୁର- ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନେତୃତ୍ୱ ରେ ସଂଗଠନ ପକ୍ଷରୁ ଶତାଧିକ ଚାଷୀ ରବି ଧାନ ନ ଉଠିବା ଓ ମଣ୍ଡି ରେ ଧାନ ପଡ଼ି ବର୍ଷାଜନିତ କ୍ଷୟକ୍ଷତିରେ ଧାନ ଗଜା ହୋଇଯିବା ନେଇ ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ପ୍ରତିବାଦ କରିଛନ୍ତି। ସାରା ଜିଲ୍ଲାରେ ମଧ୍ୟ ଏ ସ୍ଥିତି ସମାନ । ଉଲୁଣ୍ଡାରେ ପରିସ୍ଥିତି ଅସମ୍ଭାଳ। ସେହିପରି ଉଲୁଣ୍ଡା ବ୍ଲକ୍ କୋଟସମଲେଇ ମଣ୍ଡି ରେ ଦଶ ହଜାରରୁ ଉର୍ଦ୍ଧ୍ବ ଧାନ ବସ୍ତା ପଡ଼ି ବର୍ଷା ରେ ଭିଜି ଗଜା ହେଇଗଲାଣି। ଆହୁରି ଚାଷୀ ମାନେ ବର୍ଷା ଭୟରେ ଧାନ ସବୁ ନିଜ ଘରେ ଓ ଖଳାରେ ପକାଇଛନ୍ତି। ବାରମ୍ବାର ପ୍ରଶାସନକୁ କହିଲେ ମଧ୍ୟ ମଣ୍ଡିରେ ଗାଡିର ଦେଖା ନାହିଁ। ଚାଷୀ ମାନେ ଅଭିଯୋଗ କରିଛନ୍ତି ମଣ୍ଡିରେ ପଡ଼ି ଧାନ ଯଦି କ୍ଷତି ହେବ ତାର ଭରଣା କିଏ କରିବ ? ୫୦ ଜଣ ମିଲର୍ସଙ୍କ ସ୍ୱାର୍ଥ ଦେଖି ପ୍ରଶାସନ ହଜାର ହଜାର ଚାଷୀଙ୍କ ଭାଗ୍ୟକୁ ବଳି ପକାଉଛି ବୋଲି ଅନେକ ଚାଷୀ ଅଭିଯୋଗ କରିଥିଲେ। ୩୧୦୦ ଧାନ କ୍ଵିଣ୍ଟାଲ ଦେଲେ କଣ ୧୦ କେଜି କଟନି ଓ ଧାନ ଗଜା ହେବା ସ୍ଵୀକାର କରିବାକୁ ପଡ଼ିବ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କେବେ ସୁଦ୍ଧା ଧାନ ଉଠିବ ଲିଖିତ ହିସାବରେ ନ ଜଣାଇଲେ ଚାଷୀ ମାନେ ସବୁ ଧାନ ସିଏସଓ ଅଫିସ ଓ କଲେକ୍ଟର ଅଫିସରେ ଗଦାଇବା ସହ ରାଜରାସ୍ତାରେ ପକାଇ ବିକ୍ଷୋଭ କରିବା ହିଁ ଶେଷ ରାସ୍ତା ବୋଲି ଆଜି ଚେତାବନୀ ଦେଇଛନ୍ତି। ଧାନ ମଣ୍ଡି ପାଇଁ ଭିତ୍ତିଭୂମି ନଥିବାରୁ ଲୋକ ସବୁ ରାସ୍ତାରେ ଧାନ ଜମା କରିଛନ୍ତି । ଆଗକୁ ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା ଆସୁଥିବାରୁ ଏହି ଧାନ ଶୀଘ୍ର ନ ଉଠିଲେ ଗମ୍ଭୀର ଟ୍ରାଫିକ ଓ ପାର୍କିଂ ଅସୁବିଧା ଦେଖାଯିବ । ଏହା ସତ୍ତ୍ୱେ କେହି ସମ୍ବେଦନଶୀଳ ନ ହେବାରୁ ପ୍ରଶାସନ ମିଲର୍ସ ଓ ବେପାରୀ ମାନଙ୍କ ମଧୁଚନ୍ଦ୍ରିକା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ରଥଯାତ୍ରା ପୂର୍ବରୁ ଧାନ ଉଠେଇ ନେବା ପାଇଁ ଦାବୀ ରଖିଥିଲେ । ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ସାଏ ୨୬ ତାରିଖ ମଧ୍ୟରେ ଧାନ ଉଠେଇ ନେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଚାଷୀ ମାନେ ବୁଝିଥିଲେ। ଏଥିରେ ଖିଲାପି ହେଲେ ବାଧ୍ୟହୋଇ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଗଠନର ଚାଷୀ ମାନେ କହିଛନ୍ତି l