
ଜୟପୁର– ଜୟପୁର ଠାରେ ଆସନ୍ତା ୨୯ ତାରିଖରେ ସମ୍ବିଧାନ ବଞ୍ଚାଓ ଡାକରା ନେଇ କଂଗ୍ରେସର ବିଶାଳ ସମାବେଶ ଅନୁଷ୍ଠିତ ହେବ । ଏନେଇ ଆଜି ଜୟପୁର ସ୍ଥିତ ବାବା ସାହେବ କଲ୍ୟାଣ ମଣ୍ଡପ ଠାରେ ଜିଲା କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନି ସହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲା କଂଗ୍ରେସ ସଭାପତି ଶଶି ଭୁଷଣ ପାତ୍ରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନିପତି, ବରିଷ୍ଠ କଂଗ୍ରେସ ନେତା ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ନିମାଇଁ ସରକାର, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ନବରଙ୍ଗପୁର ପୂର୍ବତନ ସଭାପତି ମୁନା ତ୍ରିପାଠୀ, ପିସିସି ସମ୍ପାଦକ ରୁପକ ତୁରୁକ, ଜିଲା ପରିଷଦ ସଭ୍ୟ ପିଙ୍କୁ ଶତପଥି, ବରିଷ୍ଠ କଂଗ୍ରେସ ନେତା ମଦନ ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୯ ତାରିଖରେ ଜୟପୁର ଦଶହରା ପଡିଆରେ ରାଜ୍ୟ ସରକାର ବିରୁଦ୍ଧରେ କଂଗ୍ରେସ ବିଶାଳ ସମାବେଶ କରିବ । ଏହି ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ପ୍ରଭାରି, ଏଆଇସିସିର ସଦସ୍ୟ, ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ଉପସ୍ଥିତ ରହିବେ । ଏନେଇ ବୋରିଗୁମ୍ମା ଠାରୁ ୫ ହଜାର ବାଇକ ଶୋଭାଯାତ୍ରାରେ ବାହାରି ଜୟପୁର ଦଶହରା ପଡିଆରେ ପହଞ୍ଚିବ । ଏହି ସମାବେଶରେ ୨୫ ହଜାରରୁ ଅଧିକ ଲୋକ ଯୋଗଦାନ କରିବେ ବୋଲି ବିଧାୟକ ତାରା ପ୍ରସାଦ ବାହିନିପତି ସୂଚନା ଦେଇଛନ୍ତି । ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ବିଧାନସଭା ଗୃହ ମଧ୍ୟରେ ଶାସକ ଦଳର ଅସାମ୍ବିଧାନିକ କାର୍ଯ୍ୟ ଓ ସରକାରଙ୍କ ବିଫଳତା ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ସମାବେଶ ହେବ । ଏନେଇ ବିଧାନସଭାରେ ନାରୀ ଅସୁରକ୍ଷିତ ବୋଲି ଦାବି କରିବା ପରେ ଡବଲ ଇଞ୍ଜିନର ସରକାର ଡବଲ ଧୋକା ଦେଲେ । ଏନେଇ ମୋହନ ସରକାର କୈଣସି କମିଟି ନକରି ନାରୀ ସୁରକ୍ଷିତ ଅଛନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ । ବର୍ତମାନ ଆମେରିକାର ରାଷ୍ଟ୍ରପତି ଓଡିଶାରେ ନାରୀ ଅସୁରିକ୍ଷିତ ବୋଲି ବିବୃତି ଦେବା ସହ ନୋଟିସ ଜାରି କରି ଓଡିଶା ଯିବାକୁ ମନା କରିଥିଲେ । ଏହାଠାରୁ ଲଜ୍ୟାଜନକ କଥା କିଛି ନାହିଁ ବୋଲି ବିଧାୟକ ବାହିନିପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଆଜି ପ୍ରସ୍ତୁତି ବୈଠକରେ ନବରଙ୍ଗପୁର ଓ ମାଲକାନଗିରି ଜିଲା ପ୍ରତିନିଧି ସହ କୋରାପୁଟ ଜିଲାର ବ୍ଲକର ସଭାପତି, କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।