
-
ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଭକ୍ତମାନଙ୍କ ପାଇଁ ୨୪ ଘଣ୍ଟିଆ ଚିକିତ୍ସା ସହାୟତା ନିଶ୍ଚିତ କରିଛି
ପୁରୀ/ ଭୁବନେଶ୍ୱର, ଆଗାମୀ ‘ରଥଯାତ୍ରା’ ପାଇଁ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୁରୀ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । ଓଡ଼ିଶାର ଏହି ମହାନ ଉତ୍ସବରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ସମବେତ ହେଉଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ-ନିରାପତ୍ତା ଓ କଲ୍ୟାଣକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ୨୬୫ଟି ଅତିରିକ୍ତ ହସ୍ପିଟାଲ ବେଡ୍ର ବ୍ୟବସ୍ଥା କରାଯାଇଛି, ଯାହା ଗତ ବର୍ଷର ୧୪୦ଟି ବେଡ୍ ତୁଳନାରେ ଯଥେଷ୍ଟ ଅଧିକ । ଏହି ଅତିରିକ୍ତ ଶଯ୍ୟା ମଧ୍ୟରେ ପୁରୀର ସରକାରୀ ଏଏନ୍ଏମ୍ ଟ୍ରେନିଂ ସେଣ୍ଟରରେ ୧୦୦ଟି ଅତିରିକ୍ତ ଶଯ୍ୟା ଏବଂ ଟିବିଆଇଡିଏଚ୍ରେ ୧୫ଟ ଆଇସିୟୁ ଶଯ୍ୟା ଅନ୍ତର୍ଭୁକ୍ତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୫୦ଟି ସାଧାରଣ ଶଯ୍ୟା, ୮ଟି ବର୍ନୱାର୍ଡ ବେଡ୍ ଏବଂ ୧୦ଟି ଆଇସିୟୁ ଶଯ୍ୟା ସମେତ ୬୮ଟି ଶଯ୍ୟା ସଂରକ୍ଷିତ ରଖିଛି । ଏହା ସହିତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍ ବ୍ୟାଙ୍କରେ ୨୦୦ ୟୁନିଟ୍ ରକ୍ତ ସଂରକ୍ଷିତ ହୋଇଛି ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦୁଇଟି ଛୋଟ ଅପରେସନ୍ ଥିଏଟର ଏବଂ ବିଶେଷ ଡ୍ରେସିଂ ରୁମ୍ ସ୍ଥାପନ କରାଯାଇଛି । ରଥଯାତ୍ରା ସମୟରେ ଅତିରିକ୍ତ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଏଏମ୍ସ୍, ଭୁବନେଶ୍ୱର ପକ୍ଷରୁ ଚିକିତ୍ସା କେନ୍ଦ୍ରରେ ଏକ ବିଶେଷ ଡାକ୍ତର ଟିମ୍ ନିୟୋଜିତ କରାଯିବ ।
ରଥଯାତ୍ରା ସମୟରେ ୬୯ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଏକ ବ୍ୟାପକ ନେଟୱାର୍କ କାର୍ଯ୍ୟ କରିବ । ଏଥିରେ ୩୨ଟି ସରକାରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଚଳିତ ଜୁନ୍ ୨୭ରୁ ଜୁଲାଇ ୮ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ୩୭ଟି ସେ୍ୱଚ୍ଛାସେବୀ ସଂଗଠନ-ସହାୟତାପ୍ରାପ୍ତ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବ । ପ୍ରତ୍ୟେକ କେନ୍ଦ୍ରରେ ଯୋଗ୍ୟ ଏମ୍ବିବିଏସ୍/ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ଏବଂ ସହାୟକ କର୍ମଚାରୀ ନିୟୋଜିତ ରହିବେ ଏବଂ ରଥଯାତ୍ରା, ବହୁଡ଼ା ଯାତ୍ରା ଏବଂ ସୁନବେଶ ଦିନରେ ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ଜାରି ରହିବ । ବଡ଼ଦାଣ୍ଡରେ ସିଂହଦ୍ୱାର, ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ବଲ୍ଲଭ ପାର୍କିଂ ସମେତ ୯ଟି କେନ୍ଦ୍ର, ପୁରୀ-ଭୁବନେଶ୍ୱର ରାସ୍ତାରେ ୮ଟି କେନ୍ଦ୍ର, ସ୍ୱର୍ଗଦ୍ୱାର ଏବଂ ଲାଇଟ ହାଉସ୍ ସମେତ ସମୁଦ୍ର ବେଳାଭୂମି ସ୍ଥାନରେ ୫ଟି କେନ୍ଦ୍ର, ପୁରୀ-କୋଣାର୍କ ରାସ୍ତାରେ ୪ଟି କେନ୍ଦ୍ର ଏବଂ ପୁରୀ ସହରରେ ୨ଟି କେନ୍ଦ୍ର (ରେଳ ଷ୍ଟେସନ୍) ଭଳି ପ୍ରମୁଖ ସ୍ଥାନମାନଙ୍କରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବ । ପାଣିପାଗ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ତାଳବଣିଆରେ ଏକ ବିଶେଷ ୧୦ ଶଯ୍ୟାବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ହିଟ୍ ଷ୍ଟ୍ରୋକ୍ କେନ୍ଦ୍ର ସ୍ଥାପନ କରାଯାଇଛି ।
ଜରୁରୀକାଳୀନ ଚିକିତ୍ସା ପରିବହନ ପାଇଁ ବ୍ୟାପକ ଆମ୍ବୁଲାନ୍ସ ନେଟୱାର୍କ ସୁନିଶ୍ଚିତ କରାଯିବ । ୩୧ଟି ସରକାରୀ ଆମ୍ବୁଲାନ୍ସ ଏବଂ ସେ୍ୱଚ୍ଛାସେବୀ ସହାୟତାରେ ୪୩ଟି ଆମ୍ବୁଲାନ୍ସକୁ ମିଶାଇ ମୋଟ ୭୪ଟି ଆମ୍ବୁଲାନ୍ସ ତୁରନ୍ତ ପ୍ରତିକ୍ରିୟା ପାଇଁ ଉପଲବ୍ଧ ରହିବ । ଏହି ଆମ୍ବୁଲାନ୍ସଗୁଡ଼ିକ ସେ୍ୱଚ୍ଛାସେବୀଙ୍କ ସହାୟତାରେ ନିର୍ଦ୍ଦିଷ୍ଟ ଆମ୍ବୁଲାନ୍ସ କରିଡୋର ମଧ୍ୟରେ କାର୍ଯ୍ୟ କରିବ । ସମସ୍ତ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ନିଜ ନିଜ ସ୍ୱାସ୍ଥ୍ୟ ଅନୁଷ୍ଠାନ ଏବଂ ରାଜପଥ-୨୦୩ର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉଚ୍ଚ ସତର୍କତାରେ ରହିବ ।
ସ୍ୱାସ୍ଥ୍ୟସେବାକୁ ବ୍ୟାପକ ଏବଂ ତ୍ୱରିତ କରିବା ଉଦ୍ଦେଶ୍ୟରେ ଅନ୍ୟ ଜିଲ୍ଲାରୁ ୩୭୮ ଜଣ ଅତିରିକ୍ତ ସ୍ୱ୍ାସ୍ଥ୍ୟ ବିଶେଷଜ୍ଞ ନିୟୋଜିତ ହେବେ । ଏହି ବିଶେଷଜ୍ଞ ଟିମ୍ରେ ୨ଜଣ କାର୍ଡିଓଲୋଜିଷ୍ଟ ଏବଂ ୨ଜଣ ନ୍ୟୁରୋସର୍ଜନଙ୍କ ସମେତ ୪ଜଣ ବିଶେଷଜ୍ଞ, ୯୮ଜଣ ସାଧାରଣ ଡ୍ୟୁଟି ଡାକ୍ତର, ୧୫ଜଣ ଏଏମ୍ସ୍ର ଡାକ୍ତର, ୫୦ଜଣ ଆୟୁଷ ଚିକିତ୍ସା ଅଧିକାରୀ, ୧ଜଣ ଏପିଡେମିଓଲୋଜିଷ୍ଟ, ୧ଜଣ ମାଇକ୍ରୋବାୟୋଲୋଜିଷ୍ଟ, ୫୦ଜଣ ଫାର୍ମାସିଷ୍ଟ, ୫୦ଜଣ ଚିକିତ୍ସା କର୍ମଚାରୀ, ୩୦ଜଣ ନର୍ସିଂ ଅଧିକାରୀ, ୫ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ଚିକିତ୍ସା ପରିବହନ ସେବା ପାଇଁ ୨୪ଜଣ ଡ୍ରାଇଭର ରହିବେ ।
ରଥଯାତ୍ରା ସମୟରେ ଜନସ୍ୱାସ୍ଥ୍ୟ ମାନଦଣ୍ଡ ବଜାୟ ରଖିବା ପାଇଁ କଠୋର ସ୍ୱାସ୍ଥ୍ୟ ମନିଟରିଂ ଏବଂ ରୋଗ ପ୍ରତିରୋଧକ ବ୍ୟବସ୍ଥା ରହିଛି । ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରତିଷ୍ଠାନରେ ପ୍ରଶାସନ ପକ୍ଷରୁ ୨୪୯ଟି ଯାଞ୍ଚ କରାଯାଇ ୪୯୪ କିଲୋଗ୍ରାମ ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ କରାଯାଇଛି । ଏହା ସହିତ, ପରୀକ୍ଷା ପାଇଁ ୮୪ଟି ଖାଦ୍ୟ ନମୁନା ଏବଂ ୨୨ଟି ପାଣି ନମୁନା ସଂଗ୍ରହ କରାଯାଇଛି ଓ ହଇଜା ପ୍ରତିରୋଧ ପାଇଁ ୧୦ଟି ଷ୍ଟୁଲ କଲଚର ପରୀକ୍ଷା କରାଯାଇଛି ଏବଂ ୮୨ଟି ପାଣି ବିଶ୍ଳେଷଣ ସମ୍ପୂର୍ଣ୍ଣ ହୋଇଛି । ସଂକ୍ରମଣ ରୋକିବା ପାଇଁ ଦୁଇଟି ତ୍ୱରିତ ପ୍ରତିକି୍ରୟା ଦଳ ନିୟୋଜିତ କରାଯାଇଛି ଏବଂ ମ୍ୟୁନିସିପାଲିଟି ଏବଂ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ପାନୀୟ ଜଳ ଉତ୍ସର ତୃତୀୟ ଥର ପାଇଁ ବିଶୋଧନ କାର୍ଯ୍ୟ ଜାରି ରହିଛି ।
ଜନସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତ୍ତା, ନିରାପଦ ପାନୀୟ ଜଳ, ହାତ ଧୋଇବା ଏବଂ ସ୍ୱଚ୍ଛତା ପ୍ରୋଟୋକଲ, ଓଆର୍ଏସ୍ ବ୍ୟବହାର, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, କୋଭିଡ୍-୧୯ ପ୍ରତିରୋଧ ବ୍ୟବସ୍ଥା ଏବଂ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ବାବଦରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଅଭିଯାନ ଜାରି ରହିଛି । ଏହି ଅଭିଯାନ ଅଧୀନରେ ୩ ଲକ୍ଷ ଲିଫଲେଟ୍ ବଣ୍ଟନ, ସହରରେ ୩୮ଟି ହୋର୍ଡିଂ ସ୍ଥାପନ, ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ୫୪ଟି ଆଇସି ବ୍ୟାନର ପ୍ରଦର୍ଶନ, ସମୁଦାୟିକ ସହଭାଗିତା ପାଇଁ ପାଲା ଏବଂ ଘୋଡ଼ା ନାଚ ସମେତ ୧୮ଟି ଲୋକସଂସ୍କୃତି ଅନୁଷ୍ଠାନ ଆୟୋଜନ ସାଙ୍ଗକୁ ବଡ଼ଶଙ୍ଖରେ ଗୋଟିଏ ସ୍ୱାସ୍ଥ୍ୟ ପ୍ରଦର୍ଶନୀ ଷ୍ଟଲ୍ ସ୍ଥାପନ କରାଯାଇଛି ।
ରଥଯାତ୍ରା ସମୟରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସମନ୍ୱୟ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ଜବାବ ଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ରଥଯାତ୍ରା କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ । ଯେକୌଣସି ଚିକିତ୍ସା ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା ପାଇଁ କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର ଣ୍ଟ୯୧ ୬୩୭୦୫୬୦୨୪୭ ଏବଂ ଲ୍ୟାଣ୍ଡଲାଇନ ନମ୍ବର ୦୬୭୫୨-୨୨୨୧୭୫ରେ ଯୋଗାଯୋଗ କରାଯାଇପାରିବ ।
ରଥଯାତ୍ରା ଅବସରରେ ଖାଦ୍ୟ ନିରାପତ୍ତା ପାଇଁ ସମସ୍ତ ସାବଧାନତା ଅବଲମ୍ବନ କରିବା ଉଦ୍ଦେଶ୍ୟରେ ସମୁଦାୟ ୮ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ କରାଯାଇଛି । ଖାଦ୍ୟ ଏବଂ ପାଣି ନମୁନା ପରୀକ୍ଷା ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ୩ଟି ଦଳ କାର୍ଯ୍ୟ କରୁଛନ୍ତି । ଜନଗହଳି ଆଧାରରେ ସମଗ୍ର ପୁରୀ ଜିଲ୍ଲାକୁ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ବିପଦ ଅଞ୍ଚଳରେ ବିଭକ୍ତ କରାଯାଇଛି । ଖାଦ୍ୟ ସୁରକ୍ଷା ଓ ମାନକ ଆଇନର ସିଡ୍ୟୁଲ୍ ୪ ଅନୁଯାୟୀ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ଲାଇସେନ୍ସ ଏବଂ ପଞ୍ଜୀକରଣ, ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତା ଯାଞ୍ଚ, ପ୍ରସ୍ତୁତ ଏବଂ ଗ୍ରାହକଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା ଯାଞ୍ଚ ସହ ପାନୀୟ ଜଳର ନିରୀକ୍ଷଣ, ସାଙ୍ଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ସମସ୍ତ ଅଞ୍ଚଳରେ ଦୈନନ୍ଦିନ କାର୍ଯ୍ୟକଳାପ ଚାଲିଛି ।