
ମାଲକାନଗିରି– ମାଲକାନଗିରି ସଦର ମହକୁମାଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚଳିତ ବର୍ଷର ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ତହସିଲଦାର ଟିକୁନୁ ପୁତା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ରଥର ମାନ ଠିକ ଅଛି ନା ନାହିଁ ପ୍ରଥମେ ଅନୁଧ୍ୟାନ କରି ସହକାରୀ ଯନ୍ତ୍ରୀ, ରାସ୍ତା ଓ କୋଠବାଡ଼ିଙ୍କୁ ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଯାଇଥିଲା । ଯାନବାହନ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୁଲିସଙ୍କୁ ଦାୟିତ୍ଵ ଦିଆଗଲା। ଉକ୍ତ ଦିନ ଆଶୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଗଲା । ସେହିପରି ଉକ୍ତ ଦିନ ଅଗ୍ନିଶମ ଯାନ ଓ ଟିମ୍ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରଥ ପଛରେ ରହିବା ନିମନ୍ତେ କୁହାଗଲା । ସହରର ପ୍ରମୁଖ ଛକ ଜାଗାରେ ପାଣି ଟ୍ୟାଙ୍କ ଓ କର୍ମଚାରୀ ନିୟୋଜିତ କରିବା ନିମନ୍ତେ ସହକାରୀ ଯନ୍ତ୍ରୀ ପିଏଚଡିଙ୍କୁ ଅନୁରୋଧ କରାଗଲା । ସେହିପରି ଉକ୍ତ ଦିନ ରଥ ଟଣା ସମୟରେ ଆମ୍ବୁଲାନ୍ସ ସହ ଜଣେ ଆୟୁଷ ଡାକ୍ତର ରହିବେ ଓ ୨୭.୦୬ ଠାରୁ ବାହୁଡା ଯାତ୍ରା ଅର୍ଥାତ୍ ୫.୭.୨୦୨୫ ପର୍ଯ୍ୟନ୍ତ ସକାଳ ୮ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଡ଼ିକାଲ ଟିମ୍ ଉପସ୍ଥିତ ରହିବେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଜିଲ୍ଲାପାଳ ଛେରା ପହଁରା କରିବେ । ଜଗନ୍ନାଥଙ୍କ ଧାରା ବିବରଣୀ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମାଲକାନଗିରିଙ୍କୁ ଦାୟିତ୍ଵ ଦିଆଗଲା । ଏନଏସଏସ ଓ ଏନସିସି ଛାତ୍ର ଛାତ୍ରୀ ମାନଙ୍କୁ ସ୍ବେଚ୍ଛାକୃତ ଭାବେ ନିୟୋଜିତ କରିବା ପାଇଁ କୁହାଗଲା ।
ଆଜିର ଏହି ବୈଠକରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଟାଉନ୍ ଥାନା ଅଧିକାରୀ,ଅଗ୍ନିଶମ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ସହକାରୀ ଯନ୍ତ୍ରୀ, ପିଏଚଡି, ଟିପିଏସଓଡିଏଲର କର୍ମକର୍ତ୍ତା, ଜଗନ୍ନାଥ ମନ୍ଦିରର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତହସିଲଦାର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।