
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଞ୍ଚଳ ଅନ୍ତର୍ଗତ ତେନ୍ତଳାପଶି ଗ୍ରାମରେ ଆଦିବାସୀ ନାବାଳିକାକୁ ଗଣ ବଳାତ୍କାର ଓ ହତ୍ୟା ଖବର କେନ୍ଦୁଝର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ୧୬ ତାରିଖ ରାତିରେ ଝିଅକୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ପଣ୍ଡାପଡ଼ା ଥାନାରେ ଲିଖିତ ଏତଲା ଦିଆଯାଇଛି। ଏହି ଘଟଣାରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିଲା। ଗୁରୁବାର ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ୪ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବଡ଼କମଣ୍ଡରା ଗ୍ରାମର ପିଙ୍କୁ ଓରଫ ସାଗର
କୁମାର ନାୟକ (୧୯), ରାଜା ଓରଫ ବିକାଶ କୁମାର ନାଏକ (୧୯), ଜିତୁ ଓରଫ ସୁଜିତ ନାଏକ (୨୭) ଏବଂ ସାନକମଣ୍ଡରା ଗ୍ରାମର ନିଟି ଓରଫ ମୂରଲୀଧର ସାହୁ (୪୨)। ଅଭିଯୁକ୍ତଙ୍କୁ ଗୁରୁବାର ସନ୍ଧ୍ୟାରେ ଡାକ୍ତରୀମାଇନା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ତେନ୍ତଳାପଶି ଗ୍ରାମରେ ଜଣେ ଆଦିବାସୀ ଗରିବ ଝିଅକୁ ମୁଖ୍ୟ ଅଭିଯୁକ୍ତ ସାଗର ପ୍ରେମ ଜାଲରେ ଫସାଇଥିଲା। ସାଗର ଏକ ଔଷଧ ଦୋକାନରେ କାର୍ଯ୍ୟ କରୁଥିବା ବେଳେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିଲା। ମାତ୍ର ନାବାଳିକା ଏଥୁରେ ରାଜି ନହେବା ସହ ବିବାହ କରିବାକୁ କହୁଥିଲା। ଏପଟେ ନାବାଳିକା ଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସାଗରଙ୍କ ପରିବାର ବିବାହ କରିବାକୁ ଅରାଜି ହୋଇଥିଲେ। ତେଣୁ ଅଭିଯୁକ୍ତ ହରଡ଼ଘଣା ଘଣାରେ ପଡିଥିଲା। ତେଣୁ ନାବାଳିକାକୁ ରାସ୍ତାରୁ ହଟାଇ ଦେବାକୁ ଉଦ୍ୟମ କରି ବନ୍ଧୁମାନଙ୍କ ସହଯୋଗ ନେଇଥିଲା।
୧୬ ତାରିଖ ରାତିରେ ୪ ଜଣ ନାବାଳିକାକୁ ଗଣବଳାହାର କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ପ୍ରମାଣକୁ ନଷ୍ଟ କରିବାକୁ ନାବାଳିକାକୁ ଘର ପଛ ପଟରେ ଥିବା ସଜନା ଗଛରେ ଟାଙ୍ଗି ଦେଇଥିଲେ । ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସାଗରକୁ ପୁଲିସ ବୁଧବାର ଭୋରରୁ ଆଣି ଜେରା କରିଥିଲା। ହତ୍ୟାକାଣ୍ଡ ସ୍ଥଳରୁ ମଧ୍ୟ ସାଗରର ସାର୍ଟ ମିଳିଥିଲା । ଯାହାକି ମୁଖ୍ୟ ପ୍ରମାଣ ହୋଇଥିଲା। ଏହା ସହିତ ପୁଲିସ ଅଭିଯୁକ୍ତମାନଙ୍କ ମୋବାଇଲ ଲୋକେସନ ରିପୋର୍ଟ ସଂଗ୍ରହ କରିଥିଲା।
ଗିରଫ ଅଭିଯୁକ୍ତ ମାନଙ୍କ ମୋବାଇଲ ଲୋକେସନ୍ ହତ୍ୟାକାଣ୍ଡ ଅଞ୍ଚଳରେ ଦେଖାଉଥିବାରୁ ସେମାନେ ପୁଲିସ ନିକଟରୁ ଖସି ପାରିନଥିଲେ। ଏହି ୪ ଜଣ ବଳାତ୍କାର କରିବା ପରେ ହତ୍ୟା କରିଥିବା ତା ପ୍ରମାଣ ପ୍ରମାଣ ମିଳିବା ପରେ ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ପଣ୍ଡାପଡା ଥାନାଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ନାବାଳିକା ଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ନିୟମ ଅନୁସାରେ ଘଟଗାଁ ଏସ୍ଡିପିଓ ବିଜୟକୃଷ୍ଣ ମହାପାତ୍ରଙ୍କୁ ତଦନ୍ତଭାର ଦିଆଯାଇଥିଲା। ଏହି ଘଟଣା ପୁଲିସ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଏସ୍ପି ନିତିନ କୁଶଲକର ସହ ଜିଲ୍ଲାର ଦକ୍ଷ ପୁଲିସ ଅଧିକାରୀମାନେ ତଦନ୍ତରେ ସହାୟତା କରୁଥିଲେ।