
-
ଜୀବନର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ୟମ- ରାଜ୍ୟପାଳ
ଭୁବନେଶ୍ୱର, ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନରେ ଲକ୍ଷ ରଖିବା ଉଚିତ ଏବଂ ଶିକ୍ଷା ହିଁ ଲକ୍ଷ ସ୍ଥଳରେ ପହଂଚିବା ପାଇଁ ବଳିଷ୍ଠ ମାଧ୍ୟମ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ଚଳିତ ଜୁନ ୧୯ ତାରିଖ ସନ୍ଧ୍ୟାରେ ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ରାଜ ଭବନର ଅଭିଷେକ ହଲ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି I ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ଜୁନ ୧୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ I ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୧୪ ଟି ଜିଲ୍ଲାର +୨, ସ୍ନାତକ ଏବଂ ସ୍ନାତକୋତ୍ତରସ୍ତରରେ ଅଧ୍ୟୟନ କରୁଥିବା ୭୨ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ଏବଂ ଏଯାବତ ରାଜ୍ୟ ସଂଗ୍ରହାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶା ବିଧାନ ସଭା, କଳିଙ୍ଗ ଷ୍ଟାଡିୟମ, ଆଇଆଇଟି ଭୁବନେଶ୍ୱର ଓ ଏସଡିଆଇ ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଛନ୍ତି I
ଛାତ୍ରଛାତ୍ରୀ ମାନଙ୍କ ସହ ରାଜ୍ୟପାଳ ଭାବ ବିନିମୟ କରିବା ଅବସରରେ ସେମାନଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଶିକ୍ଷାଗତ ଏବଂ କଲ୍ୟାଣକାରୀ ଯୋଜନା ବିଷୟରେ ସେମାନେ ସଚେତନ ଅଛନ୍ତି କି ନାହିଁ ପଚାରି ବୁଝିଥିଲେ I ବିଶେଷ ଭାବରେ ପିଏମ- ଜେଜେବିୱାଇ, ପିଏମ- ଏସବିୱାଇ, ପେସା ଏବଂ ଜଙ୍ଗଲ ଅଧିକାର ଅଧିନିୟମ ଭଳି ଅନେକ ଲୋକାଭିମୁଖୀ ଯୋଜନା/କାର୍ଯ୍ୟକ୍ରମର ଉଦାହରଣ ଦେଇ ଛାତ୍ରଛାତ୍ରୀମାନେ ଏ ସମ୍ପର୍କରେ ଭଲ ଭାବେ ବୁଝିବା ସହିତ ସେମାନଙ୍କର ଅଭିଭାବକ ତଥା ଅନ୍ୟମାନଙ୍କୁ ବୁଝାଇଲେ ଏହା ଦ୍ୱାରା ସେମାନେ ଉପକୃତ ହୋଇ ପାରିବେ ବୋଲି କହିଥିଲେ I ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରୀରେ ଅନୁସୂଚିତ ଜନଜାତିଙ୍କ ପାଇଁ ଉପଲବ୍ଧ ସଂରକ୍ଷଣ ବ୍ୟବସ୍ଥା ଉପରେ ଭଲ ଭାବେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ I
ଏତତବ୍ୟତୀତ ଅନୁସୂଚିତ ଜନଜାତିଙ୍କ ପାଇଁ ପ୍ରଦତ୍ତ ହୋଇଥିବା ଅଧିକାର ଏବଂ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇପାରିଲେ ସମ୍ପ୍ରଦାୟର ପ୍ରଭୂତ ଉନ୍ନତି ହୋଇ ପାରିବ ବୋଲି ରାଜ୍ୟପାଳ କହିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାରେ ସେମାନଙ୍କର ଅଭିଜ୍ଞତା ଓ ଉପଲବ୍ଧି ବାଣ୍ଟିଥିଲେ I ରାଜ୍ୟପାଳ ସେମାନଙ୍କ ସହିତ ଭାବ ବିନିମୟ କରି ଆନନ୍ଦ ପ୍ରକାଶ କରିବା ସହିତ ଛାତ୍ରଛାତ୍ରୀମାନଙ୍କର ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I