
ଭୁବନେଶ୍ୱର– ଓଡିଶା ଭିଜିଲାନ୍ସ ଗୁରୁବାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ସରାମୁଳି ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ରୁର ମାଝିଙ୍କୁ ୫୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଧନ ହଡପ କରିଥିବା ଅଭିଯୋଗରେ ଗିରଫ କରିଛି। ଏହି ରାଶି ୧୫ତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ୫ତମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନ ତହବିଲରୁ ଗ୍ରାମୀଣ ଉନ୍ନତି ବିକାଶ କାର୍ଯ୍ୟ ପାଇଁ ଆବଣ୍ଟନ କରାଯାଇଥିଲା। ଭିଜିଲାନ୍ସ ବିଭାଗ ଜାରି କରିଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଅଭିଯୋଗଗୁଡ଼ିକର ପ୍ରମାଣ ପାଇଁ ଭିଜିଲାନ୍ସ ବିଭାଗ ଦ୍ୱାରା କରାଯାଇଥିବା ତଦନ୍ତରେ ପ୍ରକାଶ ପାଇଛି ଯେ, ୩୧ ଅକ୍ଟୋବର ୨୦୨୩ ଠାରୁ ୧୮ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଅବଧିରେ ଶ୍ରୀ ମାଝି ସରାମୁଳି ପଞ୍ଚାୟତ ନାମରେ ବିଭିନ୍ନ ଉନ୍ନତି କାର୍ଯ୍ୟକୁ କାଗଜପତ୍ରରେ ଦେଖାଇ ୫୩,୩୮,୮୦୯ ଟଙ୍କା ହଡପ କରିଥିଲେ। ବାସ୍ତବରେ ଏହି କାର୍ଯ୍ୟଗୁଡ଼ିକ ଗ୍ରାଉଣ୍ଡରେ କେବେ ମଧ୍ୟ କରାଯାଇନଥିଲା।
ଅଧିକାରୀଙ୍କ ଅନୁସାରେ, ଶ୍ରୀ ମାଝି ନକଲି ହିତାଧିକାରୀ ଦେଖାଇବା ପାଇଁ କ୍ୟାସ୍ ବୁକ୍ରେ ଜାଳିଆତି କରିଥିଲେ, ଫଳସ୍ୱରୂପ ସରକାରୀ ରାଜକୋଷକୁ ବ୍ୟାପକ ଆର୍ଥିକ କ୍ଷତି ହୋଇଛି।
ଏ ସଂପର୍କରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା ୧୩(୧) ଓ ୧୩(୨) ସହ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୫) ଅନୁଯାୟୀ 18.06.2025 ରେ କେସ୍ ନଂ ୮/୨୦୨୫ ରୁଜୁ କରାଯାଇଛି। ଶ୍ରୀ ମାଝିଙ୍କୁ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଫୁଲବାଣୀଙ୍କ କୋର୍ଟରେ ହାଜର କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି ।