
ନୂଆଦିଲ୍ଲୀ– ଦେଶର ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ଆଜି ସକାଳରୁ ମତଦାନ ଆରମ୍ଭ ହୋଇଛି। ଏହି ସମସ୍ତ ଆସନରେ ଉପନିର୍ବାଚନ ହେଉଛି। ଏହି ଆସନଗୁଡିକ ହେଲା — କେରଳର ନୀଲାମ୍ବୁର, ପଞ୍ଜାବର ଲୁଧିଆନା ପଶ୍ଚିମ, ପଶ୍ଚିମ ବଙ୍ଗର କାଳିଗଞ୍ଜ, ଗୁଜରାଟର ବିସାୱଦର ଓ କାଦି। ଏହି ସମସ୍ତ ଆସନରେ ଭୋଟ ଗଣତି 23 ଜୁନରେ କରାଯିବ ଓ ଏହାପରେ ଫଳାଫଳ ପ୍ରକାଶିତ ହେବ।
ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ଅନୁସାରେ, ପଶ୍ଚିମ ବଙ୍ଗର କାଳିଗଞ୍ଜ ଉପନିର୍ବାଚନ ପୂର୍ବରୁ ଗୋଟିଏ ମତଦାନ କେନ୍ଦ୍ରରେ ମକ୍ ପୋଲିଂ କରାଯାଇଥିଲା। ଏହି ଆସନରେ ତୃଣମୂଳ କଂଗ୍ରେସରୁ ଅଲିଫା ଅହମଦ୍, ଭାରତୀୟ ଜନତା ପାର୍ଟିରୁ ଆଶିଷ ଘୋଷ ଓ କଂଗ୍ରେସରୁ କାବିଲ୍ ଉଦ୍ଦିନ୍ ଶେଖ୍ ପ୍ରାର୍ଥୀ ହୋଇଛନ୍ତି। ଭାରତ ନିର୍ବାଚନ ଆୟୋଗ 25 ମେ ତାରିଖରେ ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ ।