
ଜୟପୁର– କୋରାପୁଟ ଜ଼ିଲ୍ଲାର ଚାଷୀ ଦଲାଲକୁ ଭରଷା କରି ଚାଷ କରିଥାନ୍ତି । ବର୍ଷକୁ ଗୋଟିଏ ଥର ମାତ୍ର ଚାଷ ହେଉଥିବା ଧାନ ଫସଲକୁ ଛାଡିଦେଲେ କେତେକ ଚାଷୀ ମୁଗ ଚାଷ କରି ଭଲ ଦୁଇ ପଇସା ଉପାର୍ଜନ କରିଥାନ୍ତି । ଆଉ କେତେକ ଚାଷୀ ଡାଲି ଜାତୀୟ ଫସଲ ନିଜ ବ୍ୟବହାର ପାଇଁ କରିଥାନ୍ତି । ଏହା ବ୍ୟତୀତ ଅନ୍ୟ ଅର୍ଥକାରୀ ଫସଲ ଭାବରେ ମହୁଲ ହିଁ ଗଣନାକୁ ଆସିଥାଏ । ବଣ ପାହାଡ଼ ଓ ଜଙ୍ଗଲ ଯୁକ୍ତ ଗ୍ରାମ ଗୁଡିକୁ ଯଦି ବିଚାରକୁ ନିଆଯାଏ ତାହେଲେ ଅନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହକୁ ଯଦି ତୁଳନା କରାଯାଏ ଛୋଟ ଚାଷୀ ଏବଂ ଆଦିବାସୀଙ୍କୁ ବେଶ୍ ରୋଜଗାରକ୍ଷମ କରିଥାଏ ମହୁଲ ଫୁଲ । ଦିନକୁ ଦିନ ବିଭିନ୍ନ ଅଂଚଳରେ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଦଭାଟିରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି ସରକାର । କିନ୍ତୁ, ମହୁଲର ଅଭାବୀ ବିକ୍ରୀ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସାଜିଛି ବାଧକ । ଶାଗ ମାଛ ଦରରେ ଏହାକୁ କିଲୋଗ୍ରାମ ପ୍ରତି ୧୦ ରୁ ୧୨ ଟଙ୍କା ଓ ମାଣ ପ୍ରତି ୨୫ ରୁ ୩୦ ଟଙ୍କାରେ ବିକ୍ରୀ କରୁଛନ୍ତି ଲୋକେ । ଅନେକ ସ୍ଥାନରେ ଲୁଣ, ଆଳୁ ବଦଳରେ ମହୁଲ ଫୁଲ ଦେଉଥିବା ଦେଖାଯାଉଛି । ତେବେ ପରିଶ୍ରମ ତୁଳନାରେ ଏହା ଯଥେଷ୍ଟ କମ୍ ହେଉଥିବାରୁ ସରକାରୀ ଭାବେ ବିକ୍ରି ବ୍ୟବସ୍ଥା କରିବାକୁ ମହୁଲ ଗୋଟାଳି ଦାବି କରୁଛନ୍ତି ।
ଅନ୍ୟପକ୍ଷରେ ପ୍ରତି ପଂଚାୟତରେ ପ୍ରଶାସନ ପକ୍ଷରୁ ଲଘୁ ବନଯାତ ଦ୍ରବ୍ୟ ମହୁଲ ଫୁଲ କ୍ରୟ କରିବା ପାଇଁ ୨୦୦୨ ରେ ଗ୍ରାମପଂଚାୟତକୁ ଦର ଧାର୍ଯ୍ୟ ପାଇଁ ସରକାର କ୍ଷମତା ଦେଇଛନ୍ତି । ସରକାର ସେଥିରେ ପୁଣି ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ହିଁ ପଂଚାୟତର ମହୁଲ କ୍ରୟ କରିବାର ନିୟମ ରହିଛି । ହେଲେ ସରକାରୀ ନିୟମ ସମ୍ପର୍କରେ ଉପାନ୍ତ ଅଂଚଳର ଲୋକେ ଜାଣି ନ ଥିବାରୁ ଦଲାଲ୍ କୁ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି । ମହୁଲ ସଂଗ୍ରହ ପାଇଁ ବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ମହୁଲ କ୍ରୟ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଂଚାୟତର ଜନ ପ୍ରତିନିଧି ଏବଂ କିଛି ସରକାରୀ କର୍ମଚାରୀଙ୍କ ଗଠିତ କମିଟିରେ ମୂଲ୍ୟ ଧାର୍ଯ୍ୟ ହେବା କଥା । କିନ୍ତୁ, ଏ ସବୁରେ ବ୍ୟତିକ୍ରମ ଦେଖାଯାଇଛି । ଗ୍ରାମାଚଂଳରେ ମଦଭାଟି ମାଲିକ ମାନେ କିଛି ଲୋକଙ୍କୁ ରଖି ଆଗୁଆ କମ୍ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି । ପରେ ନାମକୁ ମାତ୍ର କିଛି ମହୁଲ କିଣି ସରକାରୀ ଦପ୍ତରରେ ଦେଖାଣିଆ ଭାବେ ଦେଖାଉଛନ୍ତି । ଲଘୁ ବନଜାତ ଦ୍ରବ୍ୟର ଦରଦାମ୍ କମି ଯାଉଥିବା ବେଳେ ମହୁଲରେ ତିଆରି ସାମଗ୍ରୀର ମୂଲ୍ୟ ଯୋରସୋରରେ ବଢୁଛି । କୋରାପୁଟ ଜିଲା ବୈପାରିଗୁଡା, କୁନ୍ଦୁରା ବ୍ଲକ୍ ଅଂଚଳରେ ରହିଥିବା ମଫସଲ ଗାଁ ଗୁଡିକର ଆଦିବାସୀ ଓ ଜନସାଧାରଣ ମହୁଲ ସଂଗ୍ରହ କରି ଆର୍ôଥକ ସ୍ଥିତିର ସନ୍ତୁଳନ ରକ୍ଷା କରିଥାନ୍ତି । ମହୁଲର ଅଭାବି ବିକ୍ରୀ ସେମାନଙ୍କ ପେଟ ପାଟଣା ପାଇଁ ବାଧକ ସାଜିଥିବା ଅଭିଯୋଗ ହେଉଛି । ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ବସି କ୍ରୟ ବିକ୍ରୟ ଉପରେ ଆଲୋଚନା ହେଉଥିଲା । ଏବେ କିଛି ବର୍ଷ ହେବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବା ପୂର୍ବରୁ ଭାଟି ମାଲିକ ମାନେ, ଏପରିକି କିଛି ଖୁଚୁରା ବ୍ୟବସାୟୀ ଗାଁ ଗାଁ ବୁଲି ମହୁଲ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ଫଳରେ ସରକାରଙ୍କ ଧାର୍ଯ୍ୟମୂଲ୍ୟ ମୁତାବକ ପାଉଣା ପାଉନଥିବା ଯୋଗୁଁ ସେମାନଙ୍କର ପରିବାରର ଗୁଜୁରାଣ ମେଂଟାଇବା କାଠିକର ପାଠ ହେଉଛି । ଜିଲ୍ଲା ପ୍ରଶାସନ ଯଦି ଏହି ଦିଗପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତେ, ତାହେଲେ ମହୁଲର ଅଭାବୀ ବିକ୍ରୀ ଉପରେ ଅଙ୍କୁଶ ଲାଗି ପାରନ୍ତା ଏବଂ ଆଦିବାସୀ ଓ ଜନସାଧାରଣ ମହୁଲର ଉଚିତ୍ ମୂଲ୍ୟ ପାଇପାରନ୍ତେ । ଅନ୍ୟପକ୍ଷରେ ଅବକାରୀ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଭାଟି ମାଲିକ ମାନେ ମନମୁତାବକ ମହୁଲ କିଣି ମଦ ତିଆରି କରି ବିଭିନ୍ନ ଅଂଚଳକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି ।