
ଭୁବନେଶ୍ୱର– ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ଗସ୍ତ କରିବା ସହ ବଡଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ଏବଂ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ସେବକ ବନ୍ଧୁମାନେ ଅତ୍ୟନ୍ତ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି।
ଏହା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ। ବୈଠକରେ ରଥଯାତ୍ରା ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଦିଗ ବିଶେଷ କରି ଟ୍ରାଫିକ, ଭିଡ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଇତ୍ୟାଦିକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି।
ଏଥିସହ ପୁରୀ ଟାଉନ ଥାନା ଗସ୍ତ କରି ଅଧିକାରୀଙ୍କ ସହ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ଏବଂ ସିସିଟିଭି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଯାହାକି ରଥଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ପୁରୀ ଜିଲ୍ଲା ଚିକିତ୍ସାଳୟ ଠାରେ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ ଏବଂ ରଥଯାତ୍ରା ସମୟରେ ଭକ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ସମ୍ପର୍କରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢି ପ୍ରମୁଖ ଉପସ୍ଥିତ ଥିଲେ।