-
ଲଦାଖକୁ ଏକ ଅଙ୍ଗାରକାମ୍ଳ ମୁକ୍ତ କେନ୍ଦ୍ରଶାସିତ ପ୍ରଦେଶ ଭାବେ ବିକଶିତ କରାଯିବ
ନୂଆଦିଲ୍ଲୀ– ଧାରା ୩୭୦ ଉଚ୍ଛେଦ ଫଳରେ ଜମ୍ମୁ ଓ କଶ୍ମୀର ସମ୍ପୂର୍ଣ୍ଣ ଭାବେ ଦେଶର ଅବଶିଷ୍ଟ ଭାଗ ସହିତ ଯୋଡ଼ି ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଗୁରୁବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରକୁ ଭାରତର ମୁକୁଟ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଜମ୍ମୁ ଓ କଶ୍ମୀରର ବାସ୍ତବ ପରିଚୟ ହେଉଛି ସମସ୍ତ ଧର୍ମବିଶ୍ୱାସ ପ୍ରତି ଏହାର ସମଭାବନା ଓ ଏହାର ସୁଫି ପରମ୍ପରା । ଏହି କ୍ଷେତ୍ର ବିକାଶ ପ୍ରକ୍ରିୟାରେ ପଛରେ ପଡ଼ିପାରିବ ନାହିଁ ଏବଂ କେବଳ ବନ୍ଧୁକ, ବୋମା, ଆତଙ୍କ ଓ ବିଚ୍ଛିନ୍ନତାବାଦ ଦ୍ୱାରା କବଳିତ ହୋଇପାରିବ ନାହିଁ ।
୧୯ ଜାନୁଆରୀ ୧୯୯୦ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ ଓ କଶ୍ମୀରରୁ ବିତାଡ଼ିତ ହୋଇ ବହୁସଂଖ୍ୟକ ଲୋକଙ୍କୁ ସେମାନଙ୍କ ପରିଚୟ ହରାଇବାକୁ ପଡ଼ିଥିଲା । ନିଜର ବିସ୍ତୃତ ବିବୃତିରେ ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରର ଖରାପ ସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଜମ୍ମୁ ଓ କଶ୍ମୀର ଲୋକଙ୍କ ଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖାଯାଇ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇଛି । ବର୍ତମାନ ଏହି କ୍ଷେତ୍ରରେ ବ୍ୟାପକ ସ୍ତରରେ ବିକାଶ କରାଯାଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କ୍ଷେତ୍ରରେ ଜାରି ହୋଇଥିବା କଟକଣା ଧୀରେ ଧୀରେ ଉଚ୍ଛେଦ କରାଯାଉଛି । କେନ୍ଦ୍ର ମନ୍ତ୍ରୀମାନେ ଏହି କେନ୍ଦ୍ର ଶାସିତ ପ୍ରଦେଶର ବିଭିନ୍ନ ଅଂଚଳକୁ ଗସ୍ତ କରୁଛନ୍ତି ଓ ଲୋକମାନଙ୍କ ଠାରୁ ମତାମତ ସଂଗ୍ରହ କରୁଛନ୍ତି । ସରକାର ନିଶ୍ଚିତ ଭାବେ ଏହି ମତାମତ ଉପରେ କାର୍ଯ୍ୟ କରିବେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଜମ୍ମୁ ଓ କଶ୍ମୀର ଲୋକମାନଙ୍କ କଲ୍ୟାଣ ଏବଂ ଏହାର ସାମଗ୍ରିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ । ଲଦାଖକୁ ଏକ ଅଙ୍ଗାରକାମ୍ଳ ମୁକ୍ତ କେନ୍ଦ୍ରଶାସିତ ପ୍ରଦେଶ ଭାବେ ବିକଶିତ କରାଯିବ ।