
କୋଲକାତା-ଏୟାର୍ ଇଣ୍ଡିଆର ଅନ୍ତର୍ଜାତୀୟ ବିମାନ (ଏଆଇ-180) କୁ ଗୁରୁତର ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି କୋଲକାତା ବିମାନବନ୍ଦରରେ ରୋକି ଦିଆଯାଇଛି। ଏହି ବିମାନଟି ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇକୁ ଯାଉଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଅବତରଣ କରାଯାଇଛି। ଏହି ବିମାନଟି ପୂର୍ବନିର୍ଦ୍ଧାରିତ ଯାନ୍ତ୍ରିକ ବିରାମ ସ୍ଥଳୀ ଭାବରେ କୋଲକାତାରେ ପହଞ୍ଚିଥିଲା ଓ ଏହା ରାତି 12:45 ବେଳେ ଅବତରଣ କରିଥିଲା।
କୋଲକାତାରେ ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଛି। ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ ଇଞ୍ଜିନରେ ଅସାମାନ୍ୟ କମ୍ପନ ଏବଂ ତାପମାନ ବୃଦ୍ଧି ଘଟିଛି। ଏହି କାରଣରୁ ପାଇଲଟ୍ ବିମାନକୁ ମୁମ୍ବାଇକୁ ନେଇଯିବା ପାଇଁ ପଦକ୍ଷେପ ନନେଇ, ଏହାକୁ କୋଲକାତାରେ ରୋକିବା ପାଇଁ ନିଷ୍ପତି ନେଇଥିଲେ। କ୍ୟାପଟେନ୍ ସକାଳ 5ଟା 20ମିନିଟ୍ରେ ଏନେଇ ଔପଚାରିକ ଘୋଷଣା କରିଥିଲେ। ଘୋଷଣାରେ କୁହାଯାଇଥିଲା ଯେ ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ବିମାନରୁ ବାହାରିବାକୁ ପଡ଼ିବ। ସେ ସ୍ପଷ୍ଟ କରିଥିଲେ ଯେ ଏହି ସିଦ୍ଧାନ୍ତ ପୂରାପୁରି ଭାବେ ଯାତ୍ରା ସୁରକ୍ଷାକୁ ପ୍ରାଥମିକତା ଦେଖି ନିଆଯାଇଛି।