
-
ବିଦ୍ୟାଳୟ ନବସୃଜନ ପରିଷଦକୁ କାର୍ଯ୍ୟକାରୀ କରିବା ନେଇ କର୍ମଶାଳାର ଆୟୋଜନ
-
ଯୋଗ ଦେଲେ ୧୬୦ ରୁ ଅଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ
ଭୁବନେଶ୍ବର, ରାଜ୍ୟରେ ଉଚ୍ଚ ମାଧ୍ୟମିକସ୍ତରରେ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ଓ ଦକ୍ଷତାକୁ ଏକ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆଜି କୃଷି ଭବନସ୍ଥିତ ଅଡ଼ିଟୋରିୟମଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଦୁଇ ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନବସୃଜନ ସେଲ୍ (MIC) ଏବଂ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (AICTE) ସହଯୋଗରେ ବିଦ୍ୟାଳୟ ନବସୃଜନ ପରିଷଦ (School Innovation Council) କୁ କାର୍ଯ୍ୟକାରୀ କରିବା ନେଇ “କଳ୍ପନାରୁ ଦକ୍ଷତାକୁ ଯାତ୍ରା” କର୍ମଶାଳାର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଉପସ୍ଥିତ ରହି ବିକଶିତ ଓଡ଼ିଶା ଗଠନରେ ଏହି କର୍ମଶାଳା ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି ।
ଉଦ୍ଭାବନ କ୍ଷେତ୍ରରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ । ଓଡ଼ିଶାରେ ନବସୃଜନ ଓ ଦକ୍ଷତା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହି ଦୁଇ ଦିନିଆ କର୍ମଶାଳାରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଉଦ୍ଭାବନ କ୍ଷେତ୍ରରେ ଉଚିତ୍ ମାର୍ଗଦର୍ଶନ ପାଇବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମତୀ ନନ୍ଦ । ଏହି କର୍ମଶାଳାରେ ୧୬୪ ଜଣ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ପିଏମ-ଶ୍ରୀ ବିଦ୍ୟାଳୟର ୫୯ ଜଣ ଅଧ୍ୟକ୍ଷ, ବିଭିନ୍ନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୦ ଜଣ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୩୦ ଜଣ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟି ଭାଗ ନେଇଥିବା ବେଳେ ଓଡ଼ିଆପ୍ରେନ୍ୟୁର ୧.୦ ଏବଂ ୨.୦ ରେ କୃତିତ୍ବ ହାସିଲ କରିଥିବା ୧୫ ଜଣ ଛାତ୍ରଛାତ୍ରୀ ମଧ୍ୟ ଏହି କର୍ମଶାଳାରେ ଭାଗ ନେଇଛନ୍ତି ।
କର୍ମଶାଳାର ଉଦଘାଟନୀ ଅଧିବେଶନରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟର, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା ରାଉତ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନବସୃଜନ ସେଲ୍ ର ଆସିସଟାଣ୍ଟ ଇନୋଭେସନ୍ ନିର୍ଦ୍ଦେଶକ ଡ. ଏଲାନଗୋଭନ୍ କାରିଆପ୍ପାନ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧିକାରୀ ଡ଼ ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନୀ ଅଧିବେଶନରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଆୟର୍ ଓଡ଼ିଶା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅପାର ସମ୍ଭାବନା ସମ୍ପର୍କରେ ସୂଚନା ଦେଇ ଓଡ଼ିଆ ପ୍ରେନ୍ୟୁର ୧.୦ ଏବଂ ୨.୦ର ସଫଳତା ବିଷୟରେ ସୂଚିତ କରିଥିଲେ ।
ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ରାଉତ କର୍ମଶାଳା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶିକ୍ଷକମାନେ ହେଉଛନ୍ତି ଉପଯୁକ୍ତ ମାଧ୍ୟମ । ସେମାନଙ୍କ ଜରିଆରେ ଛାତ୍ରଛାତ୍ରୀମାନେ ନିଜର ନୂତନ ଚିନ୍ତାଧାରାକୁ ପ୍ରକାଶ କରିଥାନ୍ତି । ଛାତ୍ରଛାତ୍ରୀମାନଙ୍କ ଅଭିନବ ଚିନ୍ତାଧାରାକୁ ଉପଯୁକ୍ତ ପଥ ଦେଖାଇବାରେ ଏହି କର୍ମଶାଳା ସହାୟକ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନବସୃଜନ ସେଲ୍ ର ଆସିସଟାଣ୍ଟ ଇନୋଭେସନ୍ ନିର୍ଦ୍ଦେଶକ ଶିକ୍ଷା ଓ ଦକ୍ଷତା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ କର୍ମଶାଳା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଅଭିନବ ଚିନ୍ତାଧାରାକୁ କିପରି ବିକଶିତ କରାଯାଇ ସେଗୁଡିକୁ ଉପଯୁକ୍ତ ପ୍ଲାଟଫର୍ମରେ ପ୍ରଦର୍ଶିତ କରିବା ଏବଂ ପେଟେଣ୍ଟ ଦାଖଲକୁ ସୁନିଶ୍ଚିତ କରି ଉପଯୁକ୍ତ ବଜାର ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏଥିସହ ପରିଶେଷରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧିକାରୀ ଡ଼ ଜ୍ୟୋତି ପ୍ରକାଶ ରଥ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଏହି ଦୁଇ ଦିନିଆ କର୍ମଶାଳାରେ ଡିଜାଇନ୍ ବିଚାରଧାରା ଓ ନବସୃଜନ, ପ୍ରୋଟୋଟାଇପ୍/ଉତ୍ପାଦ ବିକାଶ, ଆଇଡ଼ିଆ ଜେନେରେସନ୍ ଓ ମାର୍କେଟ ରିସର୍ଚ୍ଚ, ଉତ୍ପାଦ ନିର୍ମାଣ ଓ ଆଇପି କର୍ମସିଆଲାଇଜେସନ, ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାଙ୍କ ସହ ଆଲୋଚନା, ପେଟେଣ୍ଟ ଉପରେ ଗୁରୁତ୍ବ, ଭାରତରେ ପେଟେଣ୍ଟ ଦାଖଲ କରିବା, ଆଇପି ଶିକ୍ଷା ଓ ସଚେତନତା ନିମନ୍ତେ କଲାମ କାର୍ଯ୍ୟକ୍ରମ (KAPILA), ବିଦ୍ୟାଳୟ ନବସୃଜନ ପରିଷଦ, ବିଦ୍ୟାଳୟ ପାଇଁ ନବସୃଜନ ପଦକ୍ଷେପ, ବ୍ୟବସାୟ ମଡେଲ୍ ଆଦି ସମ୍ପର୍କରେ ଆଲୋଚନା କରାଯିବ ।