
ନିକୋସିଆ-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ (ଜୁନ୧୫-୧୬) ସରକାରୀ ଗସ୍ତରେ ସାଇପ୍ରସରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ସ୍ବାଗତ କରାଯାଇଥିଲା। ସାଇପ୍ରସରେ ଥିବା ଭାରତୀୟ ସମୁଦାୟ ମଧ୍ୟ ତାଙ୍କୁ ଭେଟି ‘ଅପରେସନ୍ ସିନ୍ଦୂର’ ଉପରେ ଆନନ୍ଦ ବ୍ୟକ୍ତ କରିଥିଲେ। ସେ ସାଇପ୍ରସରେ ଥିବା ଲିମାସୋଲ୍ ନାମକ ସ୍ଥାନରେ ଆୟୋଜିତ ଭାରତ-ସାଇପ୍ରସ୍ ସିଇଓ ଫୋରମ୍ ସଭାକୁ ସମ୍ବୋଧନ କରିଥିଲେ।
ଭାରତ-ସାଇପ୍ରସ୍ ସିଇଓ ଫୋରମ୍ ସଭା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, “ରାଷ୍ଟ୍ରପତି ନିକୋସ୍ କ୍ରିସ୍ଟୋଡ଼ୋଲିଡେସ୍ ସହିତ ମୁଁ ଭାରତ ଓ ସାଇପ୍ରସ୍ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବାକୁ ଅଗ୍ରଣୀ ସିଇଓମାନଙ୍କ ସହିତ ଆଲୋଚନା କରିଛୁ। ନୂତନତ୍ୱ, ଉର୍ଜା, ପ୍ରଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ଅପାର ସମ୍ଭାବନା ଅଛି। ଗତ ଦଶକରେ ଭାରତର ସୁଧାର ପଥ ବିଷୟରେ ମଧ୍ୟ ମୁଁ କଥାହେଉଛି। ଭାରତ, ସାଇପ୍ରସ୍ ସହ ମିତ୍ରତାକୁ ଅଧିକ ଗଭୀର କରିବାକୁ ଉତ୍ସୁକ।”
ଭାରତୀୟ ସମୁଦାୟଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି ଯେ, “ମୁଁ ଭାରତୀୟ ସମୁଦାୟଙ୍କୁ ଏହି ସ୍ନେହ ପାଇଁ ଧନ୍ୟବାଦ ଜଣାଉଛି। ଭାରତ ଆସନ୍ତା ଦିନରେ ସାଇପ୍ରସ୍ ସହ ସମ୍ପର୍କକୁ ଆଉ ଅଧିକ ମଜବୁତ କରିବା ପାଇଁ କାମ କରିବ।”ପ୍ରଧାନମନ୍ତ୍ରୀ ମୋଦି ଭାରତ-ସାଇପ୍ରସ୍ ସିଇଓ ଫୋରମ୍ ରେ କହିଛନ୍ତି ଯେ, “ଭାରତ ବିଶ୍ୱ ସ୍ତରରେ ପଞ୍ଚମ ସବୁଠାରୁ ବଡ଼ ଅର୍ଥନୀତି ହୋଇସାରିଛି। ଏବେ ତୃତୀୟ ସବୁଠାରୁ ବଡ଼ ଅର୍ଥନୀତି ହେବାକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆଜି ଭାରତ ପାଖରେ ଏକ ସ୍ପଷ୍ଟ ନୀତି ଅଛି।”