
ଇମ୍ଫାଲ– ମଣିପୁରରେ ପୋଲିସ ଓ କେନ୍ଦ୍ରିୟ ବଳର ମିଳିତ କାର୍ଯ୍ୟାନୁଷ୍ଠାନରେ ମାଦକ ଦ୍ରବ୍ୟ ଓ ଅବୈଧ ଅସ୍ତ୍ରଶସ୍ତ୍ରର ନେଟୱର୍କକୁ ଜୋରଦାର୍ ଝଟ୍କା ଲାଗିଛି ।
ପୋଲିସ ପ୍ରବକ୍ତା ରବିବାର କହିଛନ୍ତି ଯେ, ଚାଲିଥିବା ଅଭିଯାନରେ କେତେକ ପ୍ରମୁଖ ଜବତ ଓ ଗିରଫଦାରୀ ହୋଇଛି । ଏହି ଅଭିଯାନ ସମୟରେ ତେଂଗନୌପାଲ ଜିଲ୍ଲାର ସୀତା ମୋଟର ଭେଇକିଲ ଚେକ୍ ପୋଷ୍ଟରେ ଏକ ମାରୁତି ସୁଜୁକି ଫ୍ରାନକ୍ସ କାର୍ କୁ ରୋକା ଯାଇଥିଲା । ତଲାସୀ ବେଳେ କାର୍ ରୁ ପ୍ରାୟ ୪.୧୫୨ କେଜି ସନ୍ଦିଗ୍ଧ ଅଫିମ ଜବତ ହୋଇଛି । କାର୍ ରେ ଥିବା ୪ ଜଣ ହେଲେ ମହମ୍ମଦ ଆଜାଦ ଖାନ, ମହମ୍ମଦ ମକ୍ସୁଦ, ଅଲିନା ବିବି ଏବଂ ହୈଟ୍ସୀ ଜୋ । ମହମ୍ମଦ ଆଜାଦ ଖାନ, ମହମ୍ମଦ ମକ୍ସୁଦ, ଅଲିନା ବିବି ଥୌବଲ ଜିଲ୍ଲା ଲିଲୋଂଗ ଅଂଚଳର ହୋଇଥିବା ବେଳେ ହୈଟ୍ସୀ ଜୋ ତେଂଗନୌପାଲ ଅନ୍ତର୍ଗତ ଚେଲପ ଗ୍ରାମର ଅଟନ୍ତି । ଏମାନଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କ ନିକଟରୁ ୬ଟି ମୋବାଇଲ ଫୋନ୍ ଓ ୨ଟି ଆଧାର କାର୍ଡ଼ ମଧ୍ୟ ଜବତ ହୋଇଛି ।
ଅନ୍ୟ ଏକ ଅଭିଯାନ କ୍ରମେ ଲିଲୋଂଗ ନିବାସୀ ମକକମୟୁମ ବୋବାୟ ଓରଫ ସାଦମକୁ ତା’ର ଘରୁ ଗିରଫ କରାଯାଇଛି । ତା’ ନିକଟରୁ ୪୧ ଗ୍ରାମ୍ ସନ୍ଦିଗ୍ଧ ବ୍ରାଉନ ସୁଗର (ହେରୋଇନ) ମିଳିଛି ।