
ଡେହରାଡୁନ– ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ରାଜ୍ୟରେ ହେଲିକପ୍ଟର ଦୁର୍ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି । ସେ ହେଲିକପ୍ଟର ସଂଚାଳନକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ହେଲି ସେବା ଗୁଡିକର ସଂଚାଳନ ନିମନ୍ତେ କଡ଼ା ଏସଓପି ପ୍ରସ୍ତୁତ କରାଯାଉ, ଯେଉଁଥିରେ ହେଲିକପ୍ଟରର ବୈଷୟିକ ସ୍ଥିତିର ସମ୍ପୂର୍ଣ୍ଣ ଯାଂଚ୍ ଏବଂ ଉଡ଼ାଣ ପୂର୍ବରୁ ପାଗର ସଠିକ୍ ସୂଚନା ନେବା ଅନିର୍ବାଯ୍ୟ କରାଯାଉ ।
ମୁଖ୍ୟମନ୍ତ୍ରୀ ଧାମି ଏନେଇ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରାଯାଉ, ଯିଏକି ହେଲି ସଂଚାଳନର ସମସ୍ତ ବୈଷୟିକ ଓ ସୁରକ୍ଷା ଦିଗଗୁଡିକ ଉପରେ ଗଭୀର ସମୀକ୍ଷା କରି ଏସଓପି ପ୍ରସ୍ତୁତ କରିବ । ଏହି କମିଟି ଏହା ସୁନିଶ୍ଚିତ କରିବ ଯେ, ହେଲି ସେବାଗୁଡିକର ସଂଚାଳନ ସମ୍ପୂର୍ଣ୍ଣ ସୁରକ୍ଷିତ, ପାରଦର୍ଶୀ ଏବଂ ନିର୍ଦ୍ଧାରିତ ମାନକ ଅନୁସାରେ ହେଉ । ମୁଖ୍ୟମନ୍ତ୍ରୀ ଧାମି ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟରେ ପୂର୍ବରୁ ହୋଇଥିବା ହେଲିକପ୍ଟର ଦୁର୍ଘଟଣା ଗୁଡିକର ଯାଂଚ୍ ନିମନ୍ତେ ଗଠିତ ଉଚ୍ଚସ୍ତରିୟ କମିଟି ପୂର୍ବରୁ ଏବଂ ଆଜିର ହେଲି କ୍ରାସ୍ ର ମଧ୍ୟ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ନିଜର ରିପୋର୍ଟ ଦେବ । ଏହି କମିଟି ପ୍ରତ୍ୟେକ ଘଟଣାର କାରଣଗୁଡିକୁ ଗଭୀର ଅନୁସନ୍ଧାନ କରିବ ଏବଂ ଦୋଷୀ ବ୍ୟକ୍ତି ଓ ସଂସ୍ଥା ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ସୁପାରିଶ କରିବ ।