
ଭୁବନେଶ୍ୱର– ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼ (ଟୁକୁର୍ଲା) ଠାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରର ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ଵାନ କ୍ରମେ ଚାଲିଥିବା ‘ଏକ ପେଡ଼ ମା’ କେ ନାମ’ ଅଭିଯାନରେ ସାମିଲ ହୋଇ ଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ କରିଛନ୍ତି ମନ୍ତ୍ରୀ। ଏହି ଉଦ୍ଘାଟନୀ ସମାରୋହରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ, ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା କୁବେର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟବାସୀ କିପରି ଉତ୍ତମ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇପାରିବେ ସେ ଦିଗରେ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଲୋକଙ୍କୁ ଉଚ୍ଚ ମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଲୋକଙ୍କ ସରକାର ସଂକଳ୍ପବଦ୍ଧ।