
ମାଲକାନଗିରି– ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତଥା ଜିଲ୍ଲା ଜର୍ଜ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଚାଲାଣଗୁଡ଼ା ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଆଇନସେବା ପ୍ରାଧିକରଣ ସଚିବ-ବିଚାରପତି ସୁଶ୍ରୀ ସଂଗୀତା ପାତ୍ର, ମୂଖ୍ୟ ଆଇନିସେବା ପ୍ରତିପକ୍ଷ ଅଧିବକ୍ତା ଅଶୋକ କୁମାର ପଟ୍ଟନାୟକ, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଅଧିବକ୍ତା ରାଜେଶ ପଟ୍ଟନାୟକ, ସହାୟକ ଆଇନ ସେବା ପ୍ରତିପକ୍ଷ ଅଧିବକ୍ତା ସାଗର ପାଣିଗ୍ରାହୀ, ଚାଲାଣଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଅରକ୍ଷିତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ଓ ଅନ୍ୟ ଅଧିବକ୍ତା ଗଣ ତଥା ସରପଞ୍ଚ ଶିଶୁ ଶ୍ରମିକ ନିରୋଧ ଆଇନ, ଶିଶୁ ଶ୍ରମିକ ନିୟୋଜନ ଦ୍ଵାରା ଉପୁଜୁଥିବା ବିଭିନ୍ନ ଅସୁବିଧା ବିଷୟରେ ବୁଝାଇବା ସହ ଶିଶୁ ମାନଙ୍କ ଅଧିକାର ସୁରକ୍ଷିତ ରଖି ସେମାନଙ୍କୁ ଚିହ୍ନଟ କରି ଏକ ସୁନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଆଇନସେବା ପ୍ରାଧିକରଣଙ୍କ ଦ୍ଵାରା ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ଓ ମାଗଣା ଟୋଲ ଫ୍ରି ନମ୍ବର ୧୫୧୦୦ ର ଉପଯୋଗ ମାଧ୍ୟମରେ ନିଜର ସମସ୍ୟା ଗୁଡ଼ିକର ସମାଧାନ ହୋଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। କିଛି ବରିଷ୍ଠ ନାଗରିକ ବାରମ୍ବାର ଆବେଦନ କରିବା ସତ୍ବେ ଭତ୍ତା ଓ ବିଧବା ଭତ୍ତା ପାଇପାରୁନଥିବା ବିଷୟରେ ଆଇନସେବା ସଚିବ ତଥା ବିଚାରପତିଙ୍କୁ ଅଭିଯୋଗ କରିଥିଲେ। ଉକ୍ତ ପଂଚାୟତରେ ଏହିପରି ଶତାଧିକ ଲୋକ ବାରମ୍ବାର ଆବେଦନ କରିବା ସତ୍ବେ ସେମାନଙ୍କ ଭତ୍ତା ପାଇ ପାରୁନଥିବା କଥା ସରପଞ୍ଚ ଆଇନସେବା ପ୍ରାଧିକରଣଙ୍କ ନଜରକୁ ଆଣିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ଶହ ପୁରୁଷ ଓ ମହିଳା, ପଞ୍ଚାୟତ କର୍ମକର୍ତ୍ତା ଯୋଗ ଦେଇଥିଲେ।