ଭୁବନେଶ୍ୱର – ଜାତୀୟସ୍ତରୀୟ ହସ୍ତତନ୍ତ ମେଳାରେ ଗୁରୁବାର ଦିନ ପଶାପାଲି ଦିବସ ରୂପେ ପାଳନ କରାଯାଇଛି । ପଶାପାଲି ହେଉଛି ଏକ ସ୍ୱତନ୍ତ୍ର ବାନ୍ଧ ବସ୍ତ୍ର ଯାହା ବରଗଡ଼ ଓ ସୋନପୁର ଜିଲ୍ଲାର ମେହେର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ । ଏହା ଶାଢୀ ଡ୍ରେସ୍ସେଟ୍ ଓ ଡ୍ରେସ୍ ମ୍ୟାଟେରିଆଲ୍, ରୁମାଲ୍, ସାର୍ଟ କପଡ଼ା, ଲମ୍ବା ଥାନ, ବେଡ଼ସିଟ୍ ଓ ୱାଲ୍ ହ୍ୟାଙ୍ଗିଙ୍ଗ୍ ଭାବେ ଉପଲବ୍ଧ । ଟାଣି ଓ ଭରଣି ଦୁଇପଟେ ବାନ୍ଧ ସୂତା ବ୍ୟବହାର କରି ଛବି ର ଏକ ସଲିଡ଼ ରୁପ ଦିଆଯାଏ । ଏହାକୁ ଡବଲ୍ ଇକତ୍ କୁହାଯାଏ । ପଶାପାଲି ବସ୍ତ୍ର ଏହି ଡବଲ୍ ଇକତ୍ ବାନ୍ଧ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ସମ୍ବଲପୁରୀ ଇକତ୍ ମଧ୍ୟରେ ଡବଲ୍ ଇକତ୍ ରେ ପ୍ରସ୍ତୁତ ହେଉଥିବା ‘ପଶାପାଲି ବସ୍ତ୍ର’ ଗ୍ରାହକ ମାନଙ୍କ ମଧ୍ୟରେ ବିଶେଷ ଚାହିଦା ରହିଅଛି । ଏହି ପଶାପାଲି ନାମଟି ପଶା ଓ ପାଲି ନାମକ ଦୁଇଟି ଶବ୍ଦ କୁ ନେଇ ନାମିତ କରାଯାଇଅଛି । ‘ପଶା’ ଅର୍ଥ ପଶାକାଠି ଓ ‘ପାଲି’ ଚେସ୍ ବୋର୍ଡ଼ର ଚେକ୍ ପ୍ୟାଟନ୍ର୍ ର କଲର ପରି ଦୃଶ୍ୟମାନ ହୁଏ ।
ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପବିଭାଗ ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ଉଦ୍ଘାଟନ କରିଥିଲେ । ଏହି ମେଳାରେ ବିଭିନ୍ନ ଉତ୍ପାଦ ଦିବସ ରୂପେ ପାଳନ କରାଯାଉଥିବାରୁ ବୁଣାକାରଙ୍କ ପାଇଁ ଏହା ଏକ ନୂଆ ଦିଗଦର୍ଶନ ଦେବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହାପରେ ଶ୍ରୀ ଶେଖର ଘୋଷ୍ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ସୁମଧୁର ସଂଗୀତପରିବେଷଣ କରାଯାଇଥିଲା ଯାହା ଦର୍ଶକଙ୍କୁ ବାନ୍ଧି ରଖିଥିଲା । କିଣାବିକା ସହ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ/ଗ୍ରାହକ ମନଭରି ଉପଭୋଗ କରିଥିଲେ ।
ଆସନ୍ତାକାଲି ଏହି ମେଳାରେ ଶ୍ରୀ ସୁବାସ ଦାଶ ଓ ସାଥୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଅଛି ।