ଭୁବନେଶ୍ୱର– ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ସ୍ଥିତ ମୁଖ୍ୟ ଡାକ୍ତରଖାନା ଚିକିତ୍ସାଳୟକୁ ଆଗାମୀ ୭ ଦିନ ଭିତରେ ରାଜ୍ୟସରକାର ଓ ସ୍ୱାସ୍ଥ୍ୟ ବିଭାଗ ୫୦ଟି ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଷ୍ଟ ହସ୍ପିଟାଲ କରିବାକୁ ଘୋଷଣା କରନ୍ତୁ । ଏହା ସହ ପ୍ରସୂତି ମହିଳାଙ୍କ ସେବା ପାଇଁ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ସହରରୁ ୧୫ କିମି ଦୂରରେ ହୋଇଥିବା ମୁଖ୍ୟ ଚିକିତ୍ସାଳୟକୁ ଗମନାଗମନର ସୁବ୍ୟବସ୍ଥା କରାଯାଇ ସରକାରୀ ବସର ଚାଲୁ କରିବାକୁ ବିଜେପି ଦାବି କରିଛି । ୭ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଦାବିକୁ ଗ୍ରହଣ ନକରିବେ ଆଗାମୀ ଦିନରେ ଝାରସୁଗୁଡା ଜିଲ୍ଲାରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଚେତାବନୀ ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି ଯେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ସାରା ଓଡିଶା ବୁଲି ବିଭିନ୍ନ ମେଡିକାଲ ଦେଖିଲେ କିନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭୁଲିଗଲେ । ଗତ ମେ ୨୦୧୯ ରେ ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ସ୍ଥିତ ମୁଖ୍ୟ ଡାକ୍ତରଖାନା ଚିକିତ୍ସାଳୟକୁ ସହରରୁ ୧୫ କିମି ଦୂରକୁ ସ୍ଥାନାନ୍ତରଣ କରାଯାଇଥିଲା । ସେ ସମୟରେ ଦଳ ମତ ନିର୍ବିଶେଷରେ ପୁରୁଣା ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଦୋଳନ ହୋଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଝାରସୁଗୁଡାବାସୀଙ୍କୁ ସେହି ମେଡିକାଲକୁ ଉନ୍ନତିକରଣ କରି ଚଲାଇ ରଖିବା ନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କରିଲେ ନାହିଁ । କିନ୍ତୁ ଉପରୋକ୍ତ ଦାବି ୭ ଦିନ ମଧ୍ୟରେ ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ସେ କହିଛନ୍ତି ।
ଏହି ଅବସରରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।