
କୋଲକାତା– ବିଦେଶ ଓ କୂଟନୈତିକ ମୋର୍ଚ୍ଚାରେ ପାକିସ୍ତାନକୁ ଘେରି ବିଦେଶ ଗସ୍ତରୁ ଫେରିଥିବା ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିବେ। ଏହି ସାକ୍ଷାତରେ ସବୁଠାରୁ ବେଶି ନଜର ତୃଣମୂଳ କଂଗ୍ରେସର ସାଂସଦ ଅଭିଷେକ ବାନାର୍ଜିଙ୍କ ଉପରେ ରହିବ । ବିଦେଶରେ ଭାରତୀୟ ସଂସ୍କୃତି ଓ ସ୍ୱାଧୀନତା ସଂଗ୍ରାମ ସେନାନୀମାନଙ୍କର ସମ୍ମାନ ବଢ଼ାଇବାରେ ତାଙ୍କର ଚେଷ୍ଟାର ବ୍ୟାପକ ପ୍ରଶଂସା ହେଉଛି।
ଅଭିଷେକ ବାନାର୍ଜି ଜାପାନ୍, ଦକ୍ଷିଣ କୋରିଆ, ମାଲେସିଆ, ଇଣ୍ଡୋନେସିଆ ଓ ସିଙ୍ଗାପୁରର ଯାତ୍ରା କରିଥିଲେ। ଜାପାନରେ ସେ ଟୋକିଓରେ ଅବସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ରାସବିହାରୀ ବୋଷଙ୍କ ଶ୍ମାଶାନ ସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ତାହାର ଜର୍ଜରିତ ଅବସ୍ଥା ନେଇ ସ୍ୱର ଉଠାଇଥିଲେ। ତାଙ୍କର ଏହି ପଦକ୍ଷେପ ପରେ ଅନ୍ୟାନ୍ୟ ପ୍ରତିନିଧିମଣ୍ଡଳମାନେ ମଧ୍ୟ ବିଦେଶରେ ଭାରତୀୟ ମହାପୁରୁଷମାନଙ୍କୁ ସମ୍ମାନ ଜଣାଇଥିଲେ।
ଅଭିଷେକ ବାନାର୍ଜିଙ୍କ ବିଦେଶ ଭାଷଣଗୁଡ଼ିକରେ କେବଳ ଭାରତର ବିଦେଶନୀତିର ଦୃଢ଼ତା ନୁହେଁ, ବରଂ ଭାରତୀୟ ସଭ୍ୟତା, ଚିନ୍ତାଧାରା ଓ ସ୍ୱାଧୀନତା ସଂଗ୍ରାମର ଗୌରବଗାଥା ମଧ୍ୟ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।
ଆଜି ସନ୍ଧ୍ୟା ସାତଟାରେ ପ୍ରଧାନମନ୍ତ୍ରୀ ମୋଦୀ ସେହି ସାଂସଦମାନଙ୍କ ସହିତ ସାତ ଲୋକକଲ୍ୟାଣ ମାର୍ଗ ଅବସ୍ଥିତ ନିଜ ବାସଭବନରେ ସାକ୍ଷାତ କରିବେ। ସମସ୍ତଙ୍କୁ ରାତିର ଭୋଜନ ପାଇଁ ଆମନ୍ତ୍ରଣ ଦିଆଯାଇଛି।