-
ରେଳ ବଜେଟ୍ କୁ ନିନ୍ଦା କରୁଛୁ : କଂଗ୍ରେସ
ଭୁବନେଶ୍ୱର – ୨୦୨୦-୨୧ ଆର୍ଥିକ ବର୍ଷ କେନ୍ଦ୍ରୀୟ ବଜେଟ୍ ରେ ଓଡିଶା ପାଇଁ ରେଳବାଇ କ୍ଷେତ୍ରରେ ଯେଉଁ ବ୍ୟୟ ବରାଦ କରାଯାଇଛି ତାହା ଆଶାନୁରୂପକ ନୁହେଁ । ଏହା ଓଡିଶାବାସୀଙ୍କୁ ନିରାଶ କରିଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏହାକୁ ଦୁଃଖଦାୟକ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡିଶଶ ପାଇଁ ଅଧିକ ବ୍ୟୟ ବରାଦ କରାଯାଇଛି । ରେଳ ଲାଇନ୍ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଜମି ଓ ଅର୍ଥ ଯାଗାଇ ଦେବେ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ନକରିବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
କେନ୍ଦ୍ରୀୟ ରେଳ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ପରିବହନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ନୂଆ ରେଳ ଲାଇନ୍ ପାଇଁ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ନାହିଁ । ଅଧିକ ଅର୍ଥ ବ୍ୟୟ ବରାଦ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ମଧ୍ୟ ତାହା ଉପରେ ଗୁରୁତ୍ୱ ଦିଆଗଲା ନାହିଁ । ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରି ଅଧିକ ଅର୍ଥ ବ୍ୟୟବରାଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ ପ୍ରତ୍ରକ୍ରିୟା ଦେଇ କହିଥିଲେ ଯେ ଗତବର୍ଷ ତୁଳନାରେ ଓଡିଶାକୁ ରେଳ ବାବଦରେ ୧୬୨୦ କୋଟି ଟଙ୍କା କମ୍ ଦିଆଯାଇଛି । ଓଡିଶା ରେଳବାଇକୁ ରାଜସ୍ୱ ଦେବା କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଥିବା ବେଳେ ସେହି ଅନୁଯାୟୀ ରାଜ୍ୟକୁ ଅର୍ଥ ଦିଆଯାଉ ନାହିଁ କିମ୍ବା ରେଳବାଇର ବିକାଶ କରାଯାଉନାହିଁ । ରେଳବାଇକୁ ହସ୍ପିଟାଲ କରିବା, ଡିଏମୟୁ ଟ୍ରେନ୍ ଚଲାଇବା ପାଇଁ ବହୁ ସମୟରେ ପ୍ରସ୍ତାବ ଦିଆଯାଇଥିଲେ ହେଁ ତାହା ଉପରେ କୌଣସି ଗୁରୁତ୍ୱ ଦିଆଯାଇ ନାହିଁ । ରାଜ୍ୟ ସରକାର ମଧ୍ୟ ଯେଉଁଭଳି ଭାବେ ଦାବି କରିବା କଥା ତାହା କଲେ ନାହିଁ । ଚଳିତ ରେଳ ବଜେଟ୍ କୁ ଆମେ ନିନ୍ଦା କରୁଛୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀ ପୁରୋହିତ କହିଥିଲେ ଯେ ରାଜ୍ୟ ସରକାର ଓ ରେଳବାଇ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ କେତେକ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପାଳନ କରି ନାହାନ୍ତି । କେନ୍ଦ୍ର ସରକାର ରେଳର ବିକାଶ ପାଇଁ ଯେତିକି ଅର୍ଥ ଦେଉଛି ରାଜ୍ୟ ସରକାର ତାହାକୁ ଖର୍ଚ୍ଚ କରିପାରୁନାହାନ୍ତି । ରେଳ ବିକାଶ ପାଇଁ ଯେଉଁଭଳି ତତ୍ପରତା ପ୍ରକାଶ ପାଇବା କଥା ସେଭଳି ହେଉନାହିଁ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ନିର୍ମାଣ ପାଇଁ ଆବଶ୍ୟକ ଜମି ଏଯାବତ୍ ଅଧିଗ୍ରହଣ ହୋଇପାରିଲା ନାହିଁ । କେନ୍ଦ୍ରକୁ କେବଳ ଦୋଷ ଦେବା ରାଜ୍ୟ ସରକାରଙ୍କ ଏକକ କାର୍ଯ୍ୟକ୍ରମ ହୋଇଛି ।