
ବଲାଙ୍ଗିର– ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମା ଅଭୟା କାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇଛି | ବଲାଙ୍ଗୀର ସହର ଠାରୁ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ | କାହିଁ କେଉଁ ଆବାହନ କାଳରୁ ଏହି ଗ୍ରାମର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଛନ୍ତି ମା ଅଭୟା | ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଲପକ୍ଷ ଚତୁର୍ଦଶୀ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ରୀତିନୀତି ଅନୁସାରେ ମା ଙ୍କ ପୂଜାର୍ଚନା ହୁଏ | ଦେଶିମଦ, ଅରୁଆ ଚାଉଳ, ସିନ୍ଦୁର, ଘିଅ, ସଳିତା, ଲିଆ (ଖଇ ), ଧୂପ, ଫୁଲ ପୂଜାରେ ବ୍ୟବହାର କରାଯାଏ | ପାରମ୍ପରିକ ପୁଝାରୀ (ଝାଙ୍କର ) ଗାଁ ଗୌନ୍ତିଆ, ଛତରଧାରୀ, ନିଆଁ ବେଟିଆଁ (ପାଲରେ ତିଆରି ) ଧାରୀ, ଘଣ୍ଟଧାରୀଙ୍କ ସହିତ ସନ୍ଧ୍ୟା ସମୟରେ ଗ୍ରାମର ଚାରି ଦିଗରେ ଶାଳ କାଠକୁ ଦୀପ ଷ୍ଟାଣ୍ଡ କରାଯାଇ ମାଟି ଦୀପରେ ଫୁଲି (ଦେଶୀ ମଦରେ ) ୭ ଦିନ ବ୍ୟାପି ଅଖଣ୍ଡ ଜଳା ଯାଏ | ଯେଉଁ ଦେଶୀ ରନ୍ଧା ମଦକୁ ମଣିଷ ପିଇଲେ ମୃତ୍ୟୁ ମୁଖରେ ପଡେ ସେହି ମଦକୁ ମା ଙ୍କୁ ଅର୍ପଣ କରାଯାଏ |
ଗ୍ରାମର ଜନସ୍କୃତିରୁ ଜଣାଯାଏ ଯେ, ୧୯୩୬ ମସିହାରେ ମା ଙ୍କ ଆବିର୍ଭାବ ଗାଁ ନିକଟ ଅଙ୍ଗନଦୀ କୂଳରେ ହୋଇଥିଲା | ସେହି ସମୟରୁ ଗାଁ ଗୌନ୍ତିଆଙ୍କ ତତ୍ୱାବଧାନରେ ମା ଙ୍କ ଯାତ୍ରା ହୋଇଆସୁଛି | ଜ୍ୟୋଷ୍ଠ ଶୁକ୍ଳ ଚତୁର୍ଦଶୀ ଦିନ ମା ଙ୍କ ମୁଖ୍ୟ ପୂଜା ଅନୁଷ୍ଠିତ ହୁଏ | ନିଷ୍ଠା ଓ ଭକ୍ତିର ସହିତ ଗାଁ ର ପ୍ରତ୍ୟେକ ପରିବାରରୁ ନଡ଼ିଆ, ଫୁଲ, ଧୂପ, ଦୀପ, ଘିଅ, ସିନ୍ଦୁର ଗାଁ ମଝିରେ ଥିବା ମାଙ୍କ ପୀଠକୁ ଯାଏ | ମା ଙ୍କ ମୁଖ୍ୟଭୋଗ ନଡ଼ିଆ ମୁଗକ୍ଷୀରି ଓ ଖଇ (ଲିଆ ) ମା ଙ୍କୁ ଲାଗି କରାଯାଏ | ଏହି ଭୋଗକୁ ବୟସ୍କ ବିଧବା ମହିଳା ମାନେ ପ୍ରସ୍ତୁତ କରିଥାନ୍ତି | ଅନ୍ୟାନ୍ୟ ପୂଜା କାର୍ଯ୍ୟରେ ବିଧବାଙ୍କୁ ବାରଣ ଥିବାବେଳେ ଏଠାରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ | ବିଧବାଙ୍କ ଉପରେ ମା ଙ୍କ ଆଶୀର୍ବାଦ ରହିଥିବା ବିଶ୍ୱାସ କରାଯାଏ | ଏହି ୭ ଦିନ ଗାଁ ରେ ଆମିଷ ଭକ୍ଷଣ କରାଯାଏ ନାହିଁ | ବର୍ତ୍ତମାନ ପଶ୍ଚିମ ଓଡିଶାର ତାରିଣୀ କୁହାଯାଉଥିବା ଏହି ପୀଠକୁ ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ସୁଅ ମଧ୍ୟ ଛୁଟୁଛି | ଜ୍ୟୋଷ୍ଠ ପୂର୍ଣମୀ ଦିନ ସକାଳେ ଗାଁ ର ପ୍ରତ୍ୟେକ ପରିବାରରୁ ଜଣେ ଜଣେ ନିଆଁ ବେଟିଆଁ (ପାଲରେ ତିଆରି ) ଥୁଟିଂ ବାଢୁନ (ଝାଡୁ ) ଖଇ ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ବତ୍ବଥ ବୃକ୍ଷ ମୂଳକୁ ଯାଇ ଦେବୀ ମା ଙ୍କୁ ମେଲାଣି ଦିଅନ୍ତି | ଏହି ମେଲାଣି ଯାତ୍ରାରେ ମା ଙ୍କ ଆଗରେ କେହି ନ ଯିବାକୁ ବାରଣ ରହିଛି | ଗାଁ ଗୌନ୍ତିଆ ରାଜିନ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଯାତ୍ରାରେ ଝାଙ୍କର ଶ୍ରୀହରି ଭୁଏ, ପିତାମ୍ବର ନାଗ, ଲେକୃ ସାହୁ, ନାଥୁଲାଲ ବାଘ, ଗରୁଡ଼ ସା, ବାଲି ବାଘ (ଛତର ଯାତ୍ରା )ପୂଜା ଦାୟିତ୍ୱରେ ଥିବାବେଳେ ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ଶତ୍ରୁଘନ ପୁରୋହିତ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି | ଯାତ୍ରା ପରିଚାଳନା କମିଟି ମୁଖ୍ୟ ଗୋବର୍ଧନ ସାହୁ ଓ ପ୍ରଦୀପ ପାତ୍ର ରହିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି | ଏହି ଯାତ୍ରାକୁ ସଫଳ କରିବା ପାଇଁ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।