
ଯୋଡା– ସୀମାନ୍ତ ତଥା ଖଣି ଅଞ୍ଚଳ ବଲାଣିରେ ଥିବା ଉପ ଡାକଘରେ ଯୋଗାଇ ଦିଆଯାଉଥିବା ଆଧାର ସମ୍ବନ୍ଧୀୟ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିଛି । ଫଳରେ ସ୍ଥାନୀୟ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ପ୍ରାପ୍ତ ସୂଚନାନୁସାରେ, ପୂର୍ବରୁ ଥିବା ପୋଷ୍ଟମାଷ୍ଟରଙ୍କ ଅନ୍ୟତ୍ର ବଦଳି ପରେ ନୂତନ ଭାବରେ ଯୋଗ ଦେଇଥିବା ପୋଷ୍ଟମାଷ୍ଟର ଗତ ମାସ ୧୭ ତାରିଖରୁ ବଲାଣି ଉପ-ଡାକଘରରେ ଆଧାର ସମ୍ବନ୍ଧୀୟ ସମସ୍ତ ସେବା ବନ୍ଦ ରହିବ ବୋଲି ପୋଷ୍ଟମାଷ୍ଟରଙ୍କ ନୋଟିସ୍ ବୋର୍ଡରେ ସୂଚିତ କରିଛନ୍ତି । ଏନେଇ ଉପ ଡାକଘର ପୋଷ୍ଟମାଷ୍ଟରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଡାକ ବିଭାଗ ପକ୍ଷରୁ ଏଠାରେ ଆଧାର କାର୍ଡ ସେବା ପ୍ରଦାନ କରିବାକୁ କର୍ମଚାରୀ ନିଯୁକ୍ତ କରାଯାଇନାହିଁ ଏବଂ ତାଙ୍କର ଆଧାର କାର୍ଡ ସେବା ଯୋଗାଇବାକୁ ଆଇଡି ନଥିବାରୁ ସେ ଆଧାର ସମ୍ବନ୍ଧୀୟ ସେବା ଯୋଗାଇ ପାରିବେ ନାହିଁ । ଅନ୍ୟପକ୍ଷରେ ପୂର୍ବରୁ ବଲାଣି ଉପ-ଡାକଘରରେ ଥିବା ସବ୍ ପୋଷ୍ଟମାଷ୍ଟର ବିଜ୍ଞାନ ନାୟକ ଡାକଘର ସେବା ସହିତ ଆଧାର ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇ ଆସୁଥିଲେ । ତେବେ ତାଙ୍କର ବଦଳି ପରେ ନୂତନ ଭାବରେ ଯୋଗ ଦେଇଥିବା ସବ୍ ପୋଷ୍ଟମାଷ୍ଟର ପରମେଶ୍ୱର ନାୟକ ଉକ୍ତ ସେବା ବନ୍ଦ କରିଦେଇଛନ୍ତି । ଫଳରେ ବଲାଣି ଓ ବାଲାଗୋଡା ପଞ୍ଚାୟତ ଅଞ୍ଚଳର ପ୍ରାୟ ୨୫,୦୦୦ ଜନସଂଖ୍ୟା ଆଧାର ସମ୍ବନ୍ଧୀୟ ସେବା ନିମନ୍ତେ ବଡ଼ବିଲ କିମ୍ବା ଯୋଡ଼ା ଯିବାକୁ ବାଧ୍ୟ ହୋଇ ଅଧିକ ସମୟ, ପରିଶ୍ରମ ଓ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡୁଛି । ଅନ୍ୟପକ୍ଷରେ ଏହି ଉପ ଡାକଘରେ ଆଧାର ସେବା ପାଇଁ ବ୍ୟବହୃତ ହେଉଥିବା ବର୍ରି ଆଧାର କିଓସ୍କ, ଆଇଡି ପ୍ରିଣ୍ଟର ଓ ଅନ୍ୟାନ୍ୟ ଉପକରଣ ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ତାହା ଖତ ଖାଇବାକୁ ବସିଲାଣି । ଏ ନେଇ ବଲାଣି ବିକାଶ ପରିଷଦ ପକ୍ଷରୁ ଅସନ୍ତୋଷ ଜାହିର କରାଯିବା ସହିତ ଏକ ଦାବି ପତ୍ର ପ୍ରସ୍ତୁତ କରାଯାଇ ଜିଲା ଡାକ ଅଧିକ୍ଷକଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବାକୁ ପ୍ରସ୍ତୁତି କରାଯାଉଛି ବୋଲି ବିକାଶ ପରିଷଦର ଆବାହକ ଶୁବାଶିଷ ନନ୍ଦ ସୂଚନା ଦେଇଛନ୍ତି ।