-
ଘରୋଇ ଖାଉଟିଙ୍କ ବିଜୁଳି ଟାରିଫ୍ ବୃଦ୍ଧି ଓ ବିଜୁଳି ସଂଯୋଗ କଟାଯିବା ପ୍ରସଙ୍ଗ
-
ବିଜୁଳି ଟାରିଫ୍ ବୃଦ୍ଧିରୁ କ୍ଷାନ୍ତ ରହିବାକୁ ଚେତାବନୀ
ଭୁବନେଶ୍ୱର – ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବଢିବା ନେଇ ଓଇଆରସିରେ ଚାଲୁଥିବା ଶୁଣାଣି ତଥା ବିଭିନ୍ନ ବିଜୁଳି ବିତରକ କମ୍ପାନୀ ମାନେ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି । ରାଜ୍ୟର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବୃଦ୍ଧିକୁ ଦୃଢ ବିରୋଧ କରିବା ସହ ପର୍ଯ୍ୟାପ୍ତ ସମୟ ନଦେଇ ବିଜୁଳି ବିଲ୍ ବାକି ଥିବା ରାଜ୍ୟର ସାଧାରଣ ଗରିବ ଘରୋଇ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିଦେବାକୁ ମଧ୍ୟ ଦଳ ଦୃଢ ବିରୋଧ କରୁଛି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ରାଜ୍ୟର ବଡ ଶିଳ୍ପାନୁଷ୍ଠାନ, ବିଜୁଳି ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ ରାଜ୍ୟର ଗରିବ ଜନସାଧାରଣଙ୍କ ଝାଳବୁହା ଟିକସ ଟଙ୍କାରୁ ରିହାତି ଅଥବା ବିଭିନ୍ନ ଆଳରେ ପଡି ରହିଥିବା ମୋଟା ବିଲ୍ ଆଦାୟ ନକରି କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା ପରି ସାଧାରଣ ଲୋକଙ୍କ ଠାରୁ ଯୋର ଜବରଦସ୍ତି ରାଜ୍ୟ ସରକାର ବୋଝ ଲଦି ଦେଉଛନ୍ତି । ରାଜ୍ୟର ୨୬ଟି ବଡ ଶିଳ୍ପ ସଂସ୍ଥାଙ୍କ ଉପରେ ୧୮୭୪ କୋଟି ଟଙ୍କାର ବକେୟା ବିଜୁଳି ବିଲ୍ ପଡିରହିଛି । ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀ ମାନେ କୋଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗ୍ଣ କରିଛନ୍ତି ।
ରାଜ୍ୟ ସରକାର ବିଧାନସଭାର ଦେଇଥିବା ତଥ୍ୟନୁସାରେ ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ୟୁନିଟ୍ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି । ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ୍ ପିଛା ହାରାହାରି ମୂଲ୍ୟ ରହିଛି ୩ଟ ୮୧ ପଇସା । କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ କରି କେଉଁମାନେ ଏଥିରୁ ଲାଭ ଉଠାଉଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏହା ସହ କମ୍ ଦରରେ ବିଜୁଳି ବିକି ଚଢା ଦରରେ ବିଜୁଳି କିଣି ଏହାର ବୋଝ ସାଧାରଣ ଖାଉଟିଙ୍କ ମୁଣ୍ଡରେ ଲଦିବାର କାରଣ କଣ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଏହାସହ ରାଜ୍ୟ ସରକାରଙ୍କର ଖାଉଟି ମାରଣ କମ୍ପାନୀ ପ୍ରିତୀର ଉଦାହରଣ ଏକ ଆରଟିଆଇ ଉତର ଆଧାରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫ କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡିରହିଛି । ରାଜ୍ୟ ସରକାର କୋହଳ ଭାବ ଅବଲମ୍ବନ କରି ଏହି କମ୍ପାନୀ ମାନଙ୍କ ଠାରୁ ପଡିରହିଥିବା ଟିକସ ଆଦାୟ କରୁନାହାନ୍ତି । ସେହିପରି ବିଭିନ୍ନ ବିଦ୍ୟୁତ ବଂଟନ କମ୍ପାନୀ ମାନଙ୍କ ଉପରେ ମୋଟ ୩୯୩୭.୪୮ କୋଟି ଚଙ୍କା ବକେୟା ରହିଛି । ରାଜ୍ୟ ସରକାର ଯେଉଁ ବିତରକ କମ୍ପାନୀ ମାନଙ୍କ ପାଇଁ ସାଧାରଣ ଖାଉଟିଙ୍କୁ ବଳିଦେବାକୁ ଚାହୁଁଛନ୍ତି ସେମାନେ ରାଜ୍ୟ ସରକାରଙ୍କ ଅଧିନସ୍ଥ ଗ୍ରୀଡକୋକୁ ହଜାର ହଜାର କୋଟି ଟଙ୍କା ପୈଠ କରୁନାହାନ୍ତି । ଆଜି ଦିନରେ ରାଜ୍ୟ ସରକାର ନିଜ ଅଧୀନରୁ ବିତରଣ କମ୍ପାନୀ ଗୁଡିକୁ ବେସରକାରୀ ସଂସ୍ଥା ମାନଙ୍କୁ ହସ୍ତାନ୍ତର କରୁଛନ୍ତି ସେତେବେଳେ ବିତରଣ କମ୍ପାନୀ ମାନଙ୍କ ଠାରୁ ପାଇବାକୁ ଥିବା ବକେୟା ଅର୍ଥ ସମ୍ବନ୍ଧରେ ଅହେତୁକ ନିରବତା ଅବଲମ୍ବନ କରୁଛନ୍ତି ।
ବିଧାନସଭାରେ ରାଜ୍ୟ ସରକାରଙ୍କ ପ୍ରଦତ ଉତର ଆଧାରରେ ଶ୍ରୀ ମହାପାତ୍ର କହିଛନ୍ତି ୪ଟି ବିତରକ କମ୍ପାନୀ ଉପରେ ମାର୍ଚ୍ଚ ୨୦୧୯ ସୁଦ୍ଧା ଗ୍ରୀଡକୋର ବକେୟା ୩୯୩୭.୪୮ କୋଟି ଟଙ୍କା ପଡିରହିଛି । ଏହାସହ ଏହି କମ୍ପାନୀ ମାନଙ୍କ ପାଇଁ ବିଶ୍ୱ ବ୍ୟାଙ୍କ ଓ ସରକାର ୨୯୦୮.୫୫ କୋଟି ଟଙ୍କା ଋଣ ଯୋଗାଇଦେଇଛନ୍ତି । ଏତେ ସୁବିଧା ଦିଆଯିବା ପରେ ବି ବିତରକ କମ୍ପାନୀ ମାନଙ୍କ ପାଇଁ ବିଜୁୁଳି କାଟିବା ଓ ବିଜୁଳି ଟାରିଫ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କାହିଁକି ତତ୍ପର ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଏହାସହ ଶ୍ରୀ ମହାପାତ୍ର ଆରଟିଆଇ ତଥ୍ୟ ଆଧାରରେ କହିଛନ୍ତି ବିଗତ ଦିନମାନଙ୍କରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ୍ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫ କୋଟି ଟଙ୍କା ଛାଡ କରାଯାଇଛି । ଏହା ପରେ ବି ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫ୍ରେ ବଡ ବୃଦ୍ଧି ପାଇଁ ଦାବୀ କରାଯାଇଛି । ଏତେ ବଡ ପାଣି ବିଲ୍ ଛାଡ କଲା ପରେ ବି ଏହି ସରକାରୀ କମ୍ପାନୀ ଖାଉଟି ମାନଙ୍କ ଉପରେ ବୋଝ ଲଦିବା ପାଇଁ କାହିଁକି ଦାବୀ କରୁଛି ଓ ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱୀକୃତି ନେଇଛି ନା ନାହିଁ ବୋଲି ଏହା ସ୍ପଷ୍ଟ କରିବା ପାଇଁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ ପିଛା ପ୍ରଥମ ୫୦ ୟିନିଟ୍ ପର୍ଯ୍ୟନ୍ତ ୨ଟ ୫୦ ପଇସା ରହିଥିବା ବେଳେ ଦେଶର ସିକିମ ରାଜ୍ୟରେ ଯଥାକ୍ରମେ ୟୁନିଟ୍ ପିଛା ୧ଟ ୨୦ ପଇସା, ଆନ୍ଧ୍ର ଓ ତେଲେଙ୍ଗାନାରେ ୧ଟଙ୍କା ୪୫ ପଇସା, ଗୋଆରେ ୧ଟଙ୍କା ୪୦ ପଇସା ଓ ଛତିଶଗଡରେ ୨ଟଙ୍କା ୪୦ ପଇସା ରହିଛି । ସେହିପରି ତାମିଲନାଡୁ ଭଳି ରାଜ୍ୟରେ ୧୦୦ ୟୁନିଟ ଯାଏଁ ମାଗଣା ବ୍ୟବସ୍ଥା ରହିଛି ଅର୍ଥାତ୍ ୧୦୦ ୟୁନିଟ୍ ଯାଏଁ କୌଣସି ଟଙ୍କା ଦେବାକୁ ପଡେନାହିଁ ।
ଖାଉଟି ମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକ ମାନଙ୍କୁ ଶାସକ ଦଳର ପ୍ରତିଶ୍ରୁତି ଅନୁସାରେ ମାଗଣା ବିଜୁଳି ଯୋଗାଇଦେବା ପାଇଁ ଦାବୀ କରିଛନ୍ତି । ଏହାସହ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତମାନ ପ୍ରଚଳିତ ୟୁନିଟ୍ ପିଛା ୫ ଟଙ୍କା ୭୦ ପଇସାର ଟାରିଫ୍ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ ଟଙ୍କା ୫୦କୁ କମ୍ କରିବା ପାଇଁ ଦାବୀ କରିଛନ୍ତି । ଏହାସହ ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ୍ ପିଛା ମୂଲ୍ୟ ୨ ଟଙ୍କା ୬୦ ପଇସା ରଖାଯାଇଛି । ଓଡିଶାର ଶିଳ୍ପ ବିକାଶ ପାଇଁ ଏହି ଶିଳ୍ପ ଅଗ୍ରଣୀ ରାଜ୍ୟ ମାନଙ୍କର ପଦାଙ୍କ ଅନୁସରଣ କରିବା ପାଇଁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।