
ସାଲେପୁର, ବାଲୁଙ୍କେଶ୍ୱର ପୀଠର ପୀଠାଧିଶ ଅରକ୍ଷିତ ଓଝାଙ୍କ ନିର୍ଦ୍ଦେଶମତେ ନିର୍ଜଳା ଏକାଦଶୀ ଓ ରୁକ୍ମଣୀ ବିବାହ ଅବସରରେ ପଦ୍ମବନପୀଠ ନେମାଳ ନିକଟସ୍ଥ ତ୍ରିଶାଖା ଦାରୁ ନିକଟରେ ୨୩ତମ ସାମ୍ବତ୍ସରିକ ଉତ୍ସବ ଭକ୍ତ ତପନ କୁମାର ଓଝାଙ୍କ ତତ୍ୱାବଧାନାରେ ଅନୁଷ୍ଠିତ ହୋଇଯାଇଛି । ସୁଦକ୍ଷ ପଣ୍ଡିତମାନଙ୍କ ଦ୍ୱାରା ପ୍ରାତଃ ସମୟରେ ସୂର୍ଯ୍ୟପୂଜା, ଗୋପୂତା, ଅଗ୍ନି ସ୍ଥାପନ କରାଯିବା ସହ ଦିନ ତମାମ ମହାପୁରୁଷଙ୍କ ରଚିତ ମାଳିକା ଆଲୋଚନା କରାଯାଇଥିଲା । ସଂଧ୍ୟାରେ ରାଧାକୃଷ୍ଣଙ୍କ ସୁସଜ୍ଜିତ ବିମାନଙ୍କୁ ଘଣ୍ଟ, ଘଣ୍ଟା, ମାର୍ଦଳ ଓ ଆତସାବଜି ବଜାଇ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ଚତୁପାଶ୍ୱର୍ରେ ପରିକ୍ରମା କରାଯିବା ପରେ ଗରୁଡଖୁମ୍ବ ନିକଟରେ ବିଶ୍ୱକଲ୍ୟାଣ ପାଇଁ ପ୍ରାର୍ଥନା କରାଯାଇଥିଲା । ପୀଠରୁ ମହାପୁରୁଷଙ୍କ ଆଜ୍ଞାମାଳ ନିଆଯାଇ ତ୍ରିଶାଖା ଦାରୁ ମୂଳରେ ରାହାସ ପରିବେଷଣ କରାଯିବା ସହ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଂ. ଆଶିଷ ଓଝା, ଇଂ.ଦେବାଶିଷ ଓଝ. ଇଂ. ପ୍ରସନ୍ନ ରାଉତ, ସମାଜସେବୀ ଉତ୍ସବ ସାହୁ, ଇଂ. ପ୍ରଭାକର ସାହୁ, ଉତ୍ସବ ରାଉତ, ବଟକୃଷ୍ଣ ଚାନ୍ଦ, ମହିମା ପ୍ରକାଶ ଭୂୟାଁ, ତପନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସହଯୋଗ କରିଥିଲା ବେଳେ ସାମ୍ବାଦିକ ନାରାୟଣ ଓଝା ଓ ତାଙ୍କ ସାଥି ରାହାସ ପଠନ କରିଥିଲେ । ଶତାଧିକ ଶ୍ରଦ୍ଧାଳୁ ଏହି ରାହାସ ଉତ୍ସବକୁ ଶ୍ରବଣ କରିବା ସହିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆଶିଷ ଭିକ୍ଷା ନେଇଥିଲେ ।