-
ପୂର୍ବଭଳି ସରକାର ଚାଲିଥିଲେ ଧାରା-୩୭୦ ଥାଆନ୍ତା, ରାମ ମନ୍ଦିର ବିବାଦ ରହିଥାନ୍ତା
ନୂଆଦିଲ୍ଲୀ- ରାଷ୍ଟ୍ରପତି ସଂସଦରେ ଯେଉଁ ଅଭିଭାଷଣ ପ୍ରଦାନ କରିଛନ୍ତି ସେଥିରେ ନ୍ୟୁଇଣ୍ଡିଆର ଭିଜନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଉତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଛି ବିରୋଧୀ ବିଧାୟକ ମାନେ ସରକାର ଏତେ ଶୀଘ୍ରତାର ସହ କାହିଁକି କାମ କରୁଛନ୍ତି । ସେ କବି ସର୍ବେଶ୍ୱର ଦୟାଲ ସାକ୍ସେନାଙ୍କ କବିତାକୁ ଉଦ୍ଧୃତ କରି କହିଥିଲେ ଯେ – ଲିକ ପର ବେ ଚଲେଁ ଜିନକେ ଚରଣ ଦୁର୍ବଲ ହୋ, ହମେଁ ତୋ ହମାରି ୟାତ୍ରା ପର ବନେଁ ଏସେ ଅନିର୍ମିତ ପଥ ହି ପ୍ୟାରେ ହେଁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି କେବଳ ସରକାର ବଦଳି ନାହିଁ ବରଂ ସରୋକାର ମଧ୍ୟ ବଦଳିଛି । ଯଦି ପୂର୍ବ ଭଳି ସରକାର ଚାଲିଥାନ୍ତା ତେବେ ବୋଧ ହୁଏ ୭୦ ବର୍ଷ ପରେ ମଧ୍ୟ ଦେଶରୁ ଧାରା ୩୭୦ ହଟି ପାରି ନ ଥାନ୍ତା । ମୁସଲମାନ ଭଉଣୀ ମାନଙ୍କୁ ତିନି ତଲାକର ଚୋଟର ସାମନା କରିବାକୁ ପଡିଥାନ୍ତା । କରତାରପୁର କରିଡର ତିଆରି ହୋଇ ପାରି ନ ଥାନ୍ତା, ଭାରତ- ବଙ୍ଗଳାଦେଶ ସୀମା ବିବାଦର ସମାଧାନ ହୋଇ ପାରି ନ ଥାନ୍ତା । ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ବିବାଦରେ ରହିଥାନ୍ତା ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଉତର ପୂର୍ବ ରାଜ୍ୟ ମାନଙ୍କରେ ବିକାଶ କାମର ଉଲ୍ଲେଖ କରି କହିଛନ୍ତି ଯେ ଗତ ପାଂଚ ବର୍ଷ ଆଗରୁ ଦିଲ୍ଲୀ ତାଙ୍କୁ ଦୂର ଲାଗୁଥିଲା ହେଲେ ଏବେ ଦିଲ୍ଲୀ ସେମାନଙ୍କର ଦ୍ୱାରରେ ଠିଆ ହୋଇଛି । ବିଜୁଳି, ରେଳ, ବିମାନ, ମୋବାଇଲ କନେକ୍ଟିଭିଟି ପରି ସୁବିଧା ପହଂଚାଇବାର କାମ ସରକାର କରିଛନ୍ତି ।
ସେ ବୋଡୋ ବୁଝାମଣା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ ଏପରି ପ୍ରଥମ ଥର ପାଇଁ ହୋଇ ନାହିଁ କିନ୍ତୁ ପୂର୍ବରୁ ଯେବେ ମଧ୍ୟ ଏପରି ହୋଇଛି ଅଧା ମନରେ କରା ଯାଇଛି । ସବୁବେଳେ ରାଜନୀତିର ତରାଜୁରେ ରଖା ଯାଇ କରା ଯାଉଥିଲା । ପୂର୍ବରୁ ବୁଝାମଣା ହୋଇଥିଲା, ଫଟୋ ଛପିଥିଲା ହେଲେ ଏହା ଦ୍ୱାରା ବୋଡୋ ଜନଜାତି ମାନଙ୍କର କୌଣସି ଲାଭ ହୋଇ ନ ଥିଲା । ଏବେର ବୁଝାମଣାରେ ଲେଖା ଯାଇଛି ଯେ ବୋଡୋ ମାନଙ୍କର କୌଣସି ଦାବି ନାହିଁ । ଉତର ପୂର୍ବ ରାଜ୍ୟ ମାନଙ୍କରେ ଏବେ ନୂଆ ସକାଳ ଆସିଛି ।