
ଡେହରାଡୁନ- କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ଦିନିକିଆ ଗସ୍ତରେ ଉତରାଖଣ୍ଡର ରାଜଧାନୀ ଡେହରାଡୁନରେ ପହଂଚିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ଏଠାରେ କହିଥିଲେ ଯେ, ଉତରାଖଣ୍ଡର ଭୂମିକୁ ଚାଷ-ଚାଷୀର ନୂତନ ଉଚ୍ଚତା ପର୍ଯ୍ୟନ୍ତ ପହଂଚାଇବା ଦିଗରେ ଆହୁରି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏହି ରାଜ୍ୟକୁ ହର୍ଟିକଲଚର୍ ର ହବ୍ ବନାଇବୁ । ଆଜି ଡେହରାଡୁନର ଡୋଇବାଲା ବ୍ଲକ୍ ଅନ୍ତର୍ଗତ ପାବବାଲା ସୌଡ଼ା ଗ୍ରାମରେ ଆୟୋଜିତ କିସାନ ଚୌପାଲରେ ଅଂଶଗ୍ରହଣ କରିଥିଲେ । କ୍ଷେତ ମଝିରେ ଏକ ଖଟିଆରେ ବସି କେନ୍ଦ୍ର କୃଷିମନ୍ତ୍ରୀ ଚାଷୀଙ୍କ ସହିତ କଥା ହୋଇଥିଲେ ଏବଂ ତୃଣମୂଳ ସ୍ତରରେ ରହିଥିବା ସମସ୍ୟା ବାବଦରେ ପଚାରି ବୁଝିଥିଲେ ।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଏବଂ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବା ନିମନ୍ତେ ପ୍ରତିଶୃତିବଦ୍ଧ । ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ନିଜେ ଚାଷୀ ପରିବାରରୁ ଆସିଛି, ତେଣୁ ଚାଷୀର କଷ୍ଟ କଣ ଜାଣିଛି । ସେଥିପାଇଁ ଆଜି ସିଧାସଳଖ କ୍ଷେତକୁ ଆସି ଖଟରେ ବସିଛି । ଯଦ୍ୱାରା ଏହା ଜାଣିପାରିବି ଯେ, ସରକାରଙ୍କ ଯୋଜନାଗୁଡିକର ଲାଭ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଂଚୁଛି କି ନାହିଁ । ଚାଷୀଙ୍କ ସହିତ ସିଧାସଳଖ କଥାବାର୍ତା ହିଁ ସେମାନଙ୍କର ସଶକ୍ତ ଭାଗିଦାରୀ ସୁନିଶ୍ଚିତ କରିଥାଏ ।