
-
ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ପ୍ରସ୍ତୁତିରେ ବ୍ୟବହାର ହୁଏ
-
ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ ହୁଏ, କଇଥ ଫଳର ଅଠାରେ ରଙ୍ଗ ଦିଆଯାଏ
-
୧୯୮୧ ମସିହାରୁ ନିରନ୍ତର ଭାବେ ଯୋଗାଇ ଆସୁଛି ସେରିଫେଡ୍
-
କେବଳ ବିଗ୍ରହଙ୍କ ସେବାରେ ଲାଗେ, ଏହାର ବାଣିଜ୍ୟିକ ବ୍ୟବହାର ନାହିଁ
ଭୁବନେଶ୍ୱର, ସ୍ଥାନୀୟ ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ପ୍ରେରଣ କରାଯାଇଛି । ଏହି ପବିତ୍ର କାର୍ଯ୍ୟକୁ ମାନ୍ୟବର ମନ୍ତ୍ରୀ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ପ୍ରେରଣ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ କରିବା ପୂର୍ବରୁ ମାନ୍ୟବର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଧୂପ, ଦୀପ, ପୁଷ୍ପାଦି ପ୍ରଦାନ କରି ଭକ୍ତି ଅନ୍ତରରେ ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ପ୍ରେରଣ କରିଥିଲେ ।
ସୂଚନଯୋଗ୍ୟ, ବାସୁଙ୍ଗା ପାଟ ହେଉଛି ଏକ ପବିତ୍ର ଓ ଅତ୍ୟନ୍ତ ଶକ୍ତିଶାଳୀ ରେଶମ ଡୋର ଯାହା ଚତୁର୍ଦ୍ଧାମୁରତୀଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ତିଆରି କରିବାରେ ବ୍ୟବହାର କରାଯାଇଥାଏ ।
୧୯୮୧ ମସିହାରୁ ସେରିଫେଡ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଏହି ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଚଳିତବର୍ଷ ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି ।
ଏହି ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ କରାଯାଇଥାଏ । ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଓ ଆର. ଉଦୟଗିରୀ ବ୍ଲକର ଜନଜାତି ରେଶମ ଚାଷୀଙ୍କ ଦ୍ଵାରା ଉତ୍ପାଦିତ ହୋଇଥାଏ । ଏଥିରେ କୋରାପୁଟ ଜିଲ୍ଲାରୁ ସଂଗୃହୀତ କଇଥ ଫଳର ଅଠା ଲଗାଯାଇ ରଙ୍ଗାୟିତ କରାଯାଇଥାଏ ।
ଏହି କୋଷାଗୁଡିକୁ ସେରିଫେଡ ଦ୍ଵାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣା ସ୍ଥିତ Silk Production & Technical Upgradation Centre ଠାରେ ପ୍ରକ୍ରିୟାକରଣ କରାଯାଏ । ଶ୍ରୀମନ୍ଦିର ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବାସୁଙ୍ଗା ପାଟ ଡୋରୀ ଭାବରେ ପ୍ରସ୍ତୁତ କରି ମଧ୍ୟ ପ୍ରେରଣା କରାଯାଇଥାଏ । ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହାର କୌଣସି ବାଣିଜ୍ୟିକ ବ୍ୟବହାର କରାଯାଇନଥାଏ ।
ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ, ଯୁଗ୍ମ ଶାସନ ସଚିବ (ଆଇଏଏସ) ମଧୁମିତା ରଥ, ସେରିଫେଡ ଅଧ୍ୟକ୍ଷ ଶ୍ରୀ ଭାଗୀରଥି ନନ୍ଦ, ସେରିଫେଡ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିକ୍ରମାଦିତ୍ୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।