
କୋଲକାତା– ପାକିସ୍ତାନ ବିରୋଧରେ ବିଦେଶ ଗସ୍ତ ଶୃଙ୍ଖଳା ଶେଷ କରି, ତୃଣମୂଳ କଂଗ୍ରେସର ନେତା ଓ ସାଂସଦ ଅଭିଷେକ ବ୍ୟାନାର୍ଜୀ ଗତରାତିରେ ଦେଶକୁ ଫେରିଆସିଛନ୍ତି। ଭାରତ ସାତଟି ପ୍ରତିନିଧିମଣ୍ଡଳ ପଠାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ପାକିସ୍ତାନ ବିରୋଧରେ ଭାରତର ଆନ୍ତର୍ଜାତିକ ସ୍ଥିତିକୁ ମଜବୁତ କରିବା। ଅଭିଷେକ ବାନାର୍ଜୀ ମଧ୍ୟ ଏହି ପ୍ରତିନିଧିମଣ୍ଡଳର ଏକ ଅଂଶ ଥିଲେ। ସେ ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ମାଲେସିଆ ଯାତ୍ରା କରିଥିଲେ।
ଅଭିଷେକ ବାନାର୍ଜୀ ମଙ୍ଗଳବାର ରାତି ପ୍ରାୟ 12:15 ବଜେ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ସେ ମିଡିଆକୁ କହିଛନ୍ତି ଯେ, ଗତ ପ୍ରାୟ 15 ଦିନ ଧରି ଭାରତର ବାର୍ତ୍ତାକୁ ଆନ୍ତର୍ଜାତିକ ମଞ୍ଚରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସେ ପାଞ୍ଚଟି ଦେଶକୁ ଗସ୍ତ କରିଥିଲେ । ଏହି ସମୟରେ ଆତଙ୍କବାଦ ଓ ପାକିସ୍ତାନ ଅଧିନସ୍ଥ କଶ୍ମୀର ପରି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ଆଲୋଚନା କରାଯାଇଛି।
ଏହି ପ୍ରତିନିଧିମଣ୍ଡଳର ସମସ୍ତ ସଦସ୍ୟଙ୍କ ସହିତ ବୁଧବାର ଦିନ ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଏକ ବୈଠକ ବସିବ । ଅଭିଷେକ ବାନାର୍ଜୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଦେଖାଇ ଏହି ବୈଠକରେ ଅଂଶଗ୍ରହଣ ନ କରିପାରିବା ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ସମ୍ବନ୍ଧରେ ବିଦେଶ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ସେ ତାଙ୍କର ମତାମତ ସରକାରକୁ ଲିଖିତ ଭାବେ ପ୍ରେରଣ କରିବେ।