
ଭୋପାଲ– କଂଗ୍ରେସ୍ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନିକିଆ ଗସ୍ତରେ ଭୋପାଳରେ ପହଞ୍ଚିଛନ୍ତି। ରାଜାଭୋଜ ବିମାନବନ୍ଦରରେ ରାଜ୍ୟ କଂଗ୍ରେସ୍ ଅଧ୍ୟକ୍ଷ ଜୀତୁ ପଟୱାରୀ, ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ତାଙ୍କ ସ୍ୱାଗତ କରିଥିଲେ। ଏହା ପରେ ସେ ସିଧାସଳଖ ରାଜ୍ୟ କଂଗ୍ରେସ୍ କାର୍ଯ୍ୟାଳୟ ଯାଇଥିଲେ , କିନ୍ତୁ ରାସ୍ତାରେ କିଛି କାର୍ଯ୍ୟକର୍ତ୍ତା ତାଙ୍କ ଗାଡ଼ିକୁ ଅଟକାଇ ଜୋରଦାର ନାରାବାଜି କରିଥିଲେ। ପୁଲିସ୍ ତାଙ୍କୁ ହଟାଇ ରାସ୍ତା ସଫା କରିଥିଲା, ଏହାପରେ ରାହୁଲଙ୍କ ଗାଡ଼ି ଆଗକୁ ବଢ଼ିଥିଲା। ଏହି ଅବସରରେ ହୋଇଥିବା ଠେଲାପେଲାରେ କିଛି କାର୍ଯ୍ୟକର୍ତ୍ତା ରାସ୍ତାରେ ପଡ଼ିଯାଇଥିଲେ । ଏହା ପରେ ରାହୁଲ ଗାନ୍ଧୀ କଂଗ୍ରେସ୍ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ରାହୁଲ ଗାନ୍ଧୀ କଂଗ୍ରେସ୍ ମୁଖ୍ୟାଳୟରେ ଲଗାତର ତିନିଟି ବୈଠକ କରିବେ ଏବଂ ଏହା ପରେ ରବୀନ୍ଦ୍ର ଭବନ୍ରେ ଜିଲ୍ଲା ଅଧ୍ୟକ୍ଷ ଓ ବ୍ଲକ୍ ଅଧ୍ୟକ୍ଷମାନଙ୍କ ଅଧିବେଶନକୁ ସମ୍ବୋଧନ କରିବେ। ସେ ସର୍ବପ୍ରଥମେ ରାଜ୍ୟ କଂଗ୍ରେସ୍ କାର୍ଯ୍ୟାଳୟରେ ରାଜନୈତିକ ମାମଲା ସମିତି ସହ ବୈଠକ ଆରମ୍ଭ କରିଥିଲେ। ଏହି ବୈଠକରେ ମଧ୍ୟପ୍ରଦେଶ କଂଗ୍ରେସ୍ର ୬୪ ଜଣ ବିଧାୟକ ସାମିଲ ହୋଇଥିଲେ ।