
ନବରଙ୍ଗପୁର– ପାଇଖାନା ଟାଙ୍କି ସଫା କାର୍ଯ୍ୟ ଚାଲିଥିବା ବେଳେ ଘଟିଲା ଅଘଟଣ । ଫଳରେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି । ନବରଙ୍ଗପୁର ସହର ଉପକଣ୍ଠସ୍ଥ ପଡ଼ାଲଗୁଡ଼ା ଗାଁରେ ଆଜି ସକାଳେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଜଣକର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଉତେଜନାକୁ ଦୃଷ୍ଟିରେ ରଖି ଗ୍ରାମରେ ପୋଲିସ ମୁତୟନ କରାଯାଇଛି । ପୋଲିସ ଏ ସମ୍ପର୍କରେ ଘର ମାଲିକଙ୍କୁ ମଧ୍ୟ ପଚରା ଉଚରା କରୁଛି ।
ଆଜି ସକାଳେ ଏହି କାର୍ଯ୍ୟ କରୁଥିଲେ ଶ୍ରମିକ ତ୍ରିଲୋଚନ ଭତରା ( ୨୫ ବର୍ଷ), ଲାଲୁ ରଣା (୩୦ ବର୍ଷ) । ତେବେ ସେମାନେ ପାଇଖାନା ଟାଙ୍କି ଭିତରେ ଫସି ଯାଇଥିଲେ । ଚିତ୍କାର ଶୁଣି ଦୁହିଁଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ସ୍ଥାନୀୟ ଅଂଚଳର ଦୁଇ ଯୁବକ ଏନ.ସନ୍ତୁ ( ୨୮ ବର୍ଷ), ଅମିର ଖୁରା ( ୩୦ ବର୍ଷ) । ତେବେ ସମସ୍ତେ ଶ୍ୱାସରୁଦ୍ଧ ହୋଇପଡିଥିଲେ । ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ଏନ.ସନ୍ତୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।