
ଜୟପୁର– ପରିବେଶ ପ୍ରଦୁଷଣ ରୋକିବା ପାଇଁ ସରକାର ଇଟାଭାଟି ଉପରେ ବିଧିବଦ୍ଧ ନିଷେଧାଦେଶ ଜାରି କରିଛନ୍ତି । ଇଟାଭାଟି ପାଇଁ ରାଜସ୍ୱ ବିଭାଗରୁ ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ, କୋରାପୁଟ ଜିଲାରେ ବର୍ତମାନ ଶହଶହ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଅନେକ ମାତ୍ରାରେ ପ୍ରଦୂଷିତ ହେଉଛି । ଏହି କାରଣରୁ ଜିଲାରେ କ୍ରମାଗତ ଭାବେ ଉତାପ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଫଳରେ ଏହାକୁ ନେଇ ପରିବେଶବିତ ମାନଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ଆଲୋଚନାର ବିଷୟ ହୋଇଛି । ଜିଲାର ବିଭିନ୍ନ ଅଂଚଳରେ ଏଭଳି ବେଆଇନ ଇଟାଭାଟି ଗୁଡ଼ିକ ଦିନ ଦ୍ୱିପ୍ରହରରେ ପୋଡ଼ା ଯାଉଛି । ଖୋଦ୍ ପ୍ରଶାସନିକ ଅଧିକାରୀ ମାନେ ନିରବତା ଅବଲମ୍ବନ କରୁଛନ୍ତି । ଏସବୁ ବେଆଇନ ଇଟାଭାଟି ଉପରେ ନିୟନ୍ତ୍ରଣ କରିବା ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଫଳରେ ଇଟାଭାଟି ମାଲିକ ମାନେ ମନଇଚ୍ଛା ରାଜ୍ୟ ତଥା ରାଜ୍ୟ ବାହାର ଶ୍ରମିକଙ୍କୁ ଏଠାରେ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ପାଉଛନ୍ତି । ଶୀତ ଋତୁ ଆରମ୍ଭରୁ ବର୍ଷା ଋତୁ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ଅଂଚଳରେ ଏପରିକି ବିଭିନ୍ନ ମୁଖ୍ୟ ରାସ୍ତାକଡ଼ରେ ମଧ୍ୟ ଶହଶହ ସଂଖ୍ୟାରେ ବେଆଇନ ଇଟାଭାଟି ଗଢ଼ା ଓ ପୋଡ଼ା ଚାଲିଛି ଓ ଜିଲାର ସମସ୍ତ ବ୍ଲକର ଗ୍ରାମାଚଂଳ ଗୁଡ଼ିକରେ ଏଭଳି ଇଟାଭାଟି ଶତାଧିକ ସଂଖ୍ୟାରେ ଦେଖିବାକୁ ମିଳିଛି । ପୂର୍ବରୁ ଇଟାଭାଟି ପୋଡ଼ିବା ପାଇଁ ଇଟା ବ୍ୟବସାୟୀମାନେ କାଠ ବ୍ୟବହାର କରୁଥିବା ବେଳେ ବର୍ତମାନ ବନ ବିଭାଗର କଡ଼ା ଆଇନ ଯୋଗୁଁ ଅଧିକାଂଶ ଇଟାଭାଟିରେ ପଥର କୋଇଲା କିମ୍ବା ମିଲ୍ ଗୁଡ଼ିକରୁ ବାହାରୁ ଥିବା ମୋଟାକୁଣ୍ଡା, ତସୁ ବ୍ୟବହାର କରାଯାଉଛି । ଇଟାଭାଟି ଗୁଡ଼ିକରେ ବିପୁଳ ପରିମାଣରେ ପଥର କୋଇଲା, ମୋଟାକୁଣ୍ଡା ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅଂଚଳର ଉତାପ ଅନେକ ମାତ୍ରାରେ ବୃଦ୍ଧି ପାଉଥିବା ଦେଖାଯାଇଛି । କିନ୍ତୁ, ପଥର କୋଇଲା ପରିବହନରେ ମଧ୍ୟ କଟକଣା ଲାଗିବା ଫଳରେ ଏବେ ଲୋକେ ଅଧିକାଂଶ ଇଟାଭାଟିରେ ମୋଟାକୁଣ୍ଡା, ତସୁ ବ୍ୟବହାର କରୁଥିବା ଦେଖାଯାଇଛି । ବର୍ତମାନ ସରକାରୀ କୋଠା ନିର୍ମାଣ ପାଇଁ ମାଟି ତିଆରି ଇଟା ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ କିଛି ଲୋକ ବ୍ୟକ୍ତିଗତ ଗୃହ ନିର୍ମାଣ ପାଇଁ ଏଭଳି ମାଟି ତିଆରି ଇଟାର ବ୍ୟବହାର କରୁଛନ୍ତି । ଇଟା ତିଆରି ପାଇଁ ଇଟାଭାଟିରେ ଆବଶ୍ୟକ ପଡୁଥିବା ମାଟି, ପାଣି, ବାଲି ସହ ଭାଟି ପୋଡ଼ୁଥିବା ଜମି ଆଦି ପାଇଁ ମଧ୍ୟ ବିଧିବଦ୍ଧ ଭାବେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ ରହିଥିଲେ ସୁଦ୍ଧା ଜିଲାର ଅଧିକାଂଶ ଇଟାଭାଟିରେ ଏହାର ଘୋର ବ୍ୟତିକ୍ରମ ହେଉଥିବା ଦେଖାଯାଇଛି । ଏପରିକି ଇଟାଭାଟିରେ କେତେ ପରିମାଣର ମାଟି ବ୍ୟବହାର ହେବ, କେତେ ପାଣି ଲାଗିବ, କେତେ ପରିମାଣର ଇଟା ପୋଡା ହେବ ସେସବୁ ପାଇଁ ଅନୁମତି ନେବା ବାଧ୍ୟତାମୂଳକ ରହିଥିଲା । କିନ୍ତୁ, ପରବର୍ତି ସମୟରେ ଏହାକୁ ମଧ୍ୟ ସମ୍ପୂର୍ଣ ନିଷେଧ କରାଯିବା ସତ୍ୱେ ବର୍ତମାନ ଲୋକେ ମନଇଚ୍ଛା ନିଜ ବିଲ କିମ୍ବା ପଡ଼ୋଶୀଙ୍କ ବିଲରେ ବିନା ଅନୁମତିରେ ଏଭଳି ଇଟାଭାଟି ପୋଡୁଥିବା ଦେଖାଯାଇଛି । ପରିସ୍ଥିତି ଏପରି ହୋଇଛି ଯେ, ଏବେ ଜିଲାର ବିଭିନ୍ନ ଅଂଚଳରେ ବେଆଇନ ଇଟାଗଢ଼ା ଓ ଇଟାପୋଡ଼ା ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଯାଇଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଅନେକ ଇଟାଭାଟିରେ ଶିଶୁ ଶ୍ରମିକ ମଧ୍ୟ ନିୟୋଜିତ କରାଯାଉଥିବା ଦେଖାଯାଉଛି । ଏଭଳି ହେବା ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ହେବା ସାଙ୍ଗକୁ ପରିବେଶ ବହୁଳ ମାତ୍ରାରେ ପ୍ରଦୂଷିତ ହେଉଛି । କ୍ରମାଗତ ଉତାପ ବୃଦ୍ଧି ପାଉଛି । ଗୋଟିଏ ପଟେ ସରକାର ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ କିଛି ପ୍ରଶାସନିକ ଅଧିକାରୀ ତଥା ସରକାରୀ କର୍ମଚାରୀଙ୍କ ଛତ୍ରଛାୟା ତଳେ ରହି ଇଟାଭାଟି ମାଲିକ ମାନେ ଦିନ ଦ୍ୱିପ୍ରହରରେ ଏଭଳି ବେଆଇନ କାର୍ଯ୍ୟ ଖୋଲାଖୋଲି ଭାବେ କରୁଥିବା ଦେଖାଯାଇଛି । ତେଣୁ ଏ ଦିଗରେ ଜିଲା ପ୍ରଶାସନ ଗୁରୁତ୍ୱ ପ୍ରଦାନ କରି ଏଭଳି ବେଆଇନ ଇଟାଭାଟି ପୋଡୁଥିବା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାର ସଚେତନ ନାଗରିକଙ୍କ ମହଲରେ ଦାବି ହେଉଛି ।