
ଭୁବନେଶ୍ୱର – ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡ, ଶ୍ରମ ମନ୍ତ୍ରାଳୟ ଭାରତ ସରକାର, ସିସିଡବ୍ଲୁଡି ଓ ଆକ୍ସନଏଡଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ କ୍ଲବ ସମ୍ମିଳନୀ କକ୍ଷରେ ଶ୍ରମିକ ଶିକ୍ଷା ଦିବସ ପାଳିତ ହୋଇଅଛି । ଉକ୍ତ ସମାରୋହରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ବୋର୍ଡ ଦ୍ୱାରା ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ଆଂଚଳିକ ନିର୍ଦ୍ଦେଶିକା ଶ୍ରୀମତି ସସ୍ମିତା ଭଟ୍ଟ, ଶ୍ରମିକ ଶିକ୍ଷା ଦିବସର ଆଭିମୁଖ୍ୟ, ତଥା ୬୨ବର୍ଷ ଭିତରେ ଶ୍ରମିକ ଶିକ୍ଷାର କ୍ରମାନ୍ୱୟ ଯାତ୍ରା ଏବଂ ଶ୍ରମିକ ଶିକ୍ଷା ମାଧ୍ୟମରେ ଶ୍ରମ ଜଗତ ପାଇଁ ସରକାରଙ୍କ ବାର୍ତା ଜଣାଇଥିଲେ । ଶ୍ରମିକ ଶିକ୍ଷା ଦିବସର ମହତ୍ୱ ତଥା ଅଣସଂଗଠିତ ଶ୍ରମିକଙ୍କ ପାଇଁ ଶ୍ରମିକ ଶିକ୍ଷା ବୋର୍ଡର ପ୍ରୟାସକୁ ମୁଖ୍ୟ ବକ୍ତା ଡଃ ଲେନିନ୍ ମହାନ୍ତି ସ୍ୱତନ୍ତ୍ର ପରାମର୍ଶଦାତା ଓଡିଶା ସରକାର ତଥା ଉକ୍ରଳ ପ୍ରସଙ୍ଗର ସଂପାଦକ ସାଧୁବାଦ ଜଣାଇବା ସହ ଓଡିଶା ସରକାର ଶ୍ରମିକ ମାନଙ୍କ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ ।\nଆକ୍ସନଏଡର ଆଂଚଳିକ ପରିଚାଳକ ଦେବବ୍ରତ ପାତ୍ର ଅଣସଂଗଠିତ କ୍ଷେତ୍ରର ଅର୍ଥନୈତିକ ବିକାଶ ଏବଂ ଶ୍ରମିକଙ୍କ ଯୋଗଦାନ ବିଷୟରେ ଆଲୋଚନା କରିଥିଲେ । ସିସିଡବ୍ଲ୍ୟୁଡିର ସଂପାଦକ ସଦାଶିବ ସ୍ୱାଇଁ ଅଣସଂଗଠିତ ଶ୍ରମିକମାନଙ୍କର ବିକାଶ ପାଇଁ ଏକତ୍ରିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଣସଂଗଠିତ ଶ୍ରମିକ ମଂଚର ଅଭୟ କୁମାର ପତି, ଜ୍ୟୋତ୍ସାରାଣି ମିଶ୍ର, ଫୁଲମଣି ପାତ୍ର ପ୍ରମୁଖ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ସୂଚନା ପ୍ରଦାନ କରିଥିଲେ । ପରିଶେଷରେ ଶ୍ରମିକ ଶିକ୍ଷାବୋର୍ଡର ଶିକ୍ଷା ଅଧିକାରୀ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଔଦ୍ୟୋଗିକ କ୍ଷେତ୍ରରେ ଉତମ ପ୍ରଶିକ୍ଷିତ ସମନ୍ୱୟ ପାଇଁ ଟାଟା ଷ୍ଟିଲ ଢେଙ୍କାନାଳ, ଜିନ୍ଦଲ ଷ୍ଟେନ୍ଲେସ୍ ଯାଜପୁର ଏବଂ ଓ.ଏଚ.ପି.ସିକୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରମିକ ଶିକ୍ଷା ବୋର୍ଡର ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ କୃଷ୍ଣପ୍ରିୟା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।