
ଭୁବନେଶ୍ୱର, ରାଜ୍ୟରେ ଚଳିତ ମାସ ୨୭ ମଇରୁ ୩୦ ମଇ ମଧ୍ୟରେ ହୋଇଥିବା ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୁବ୍ ଶୀଘ୍ର କ୍ଷୟ କ୍ଷତି ସ୍ଥିତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଝାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓରଂଜନ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଓଡ଼ିଶା କୃଷି ଓ ବୖଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡଃ. ପ୍ରଭାତ କୁମାର ରାଉଳଙ୍କ ସମେତ ବିଭିନ୍ନ ଜିଳ୍ଲାର ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ କ୍ଷୟକ୍ଷତି ଓ କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିଥିଲେ ।
ବୈଠକର ପ୍ରାରମ୍ଭରେ ଭାରତୀୟ ପାଣିପାଗ କେନ୍ଦ୍ର ଆଞ୍ଚଳିକ ଶାଖା ନିର୍ଦ୍ଦେଶିକା ଶ୍ରୀମତୀ ମନୋରମା ମହାନ୍ତି ବର୍ତ୍ତମାନ ଲଘୁଚାପର ଅବସ୍ଥା ଓ ଆଗାମୀ ଦିନରେ ରାଜ୍ୟର ପାଣିପାଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ ୨୭ ମଇ ରୁ ୩୦ ମଇ ମଧ୍ୟରେ ରାଜ୍ୟରେ ହାରାହାରି ୪୧.୯ ମିମି ବର୍ଷା ହୋଇଥିବା ବେଳେ ୮ ଟି ଜିଲ୍ଲା କେନ୍ଦ୍ରାପଡା, କଳାହାଣ୍ଡି, ଜଗତ୍ସିଂହପୁର, କନ୍ଧମାଳ, ନବରଙ୍ଗପୁର, ଭଦ୍ରକ, ସୁବର୍ଣ୍ଣପୁର ଓ ରାୟଗଡାରେ ୫୦ ମିମି ରୁ ଅଧିକ ବର୍ଷା ହୋଇଛି । ସେହିପରି ଅନ୍ୟ ୨୨ ଟି ଜିଲ୍ଲାରେ ୧୦ ରୁ ୫୦ ମିମି ମଧ୍ୟରେ ବର୍ଷା ରେକର୍ଡ ହୋଇଛି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଭାବରେ କ୍ଷୟକ୍ଷତିର ସର୍ଭେ କରାଯାଉଛି । ସରକାର ଅଣ ମୌସୁମୀ ସମୟରେ ଅନିୟମିତ ବର୍ଷାକୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ବେଳେ ପ୍ରତ୍ୟେକ ଚାଷୀ ଓ ବର୍ଷା ପବନରେ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନିଶ୍ଚିତ ଭାବେ କ୍ଷତିପୂରଣ ଦିଆଯିବ । କେହି ବି ଜଣେ ହେଲେ ଯେମିତି କ୍ଷତିପୂରଣ ପାଇବାରୁ ବଂଚିତ ହେବେ ନାହିଁ ସେଥିପ୍ରତି ସରକାର ସଜାଗ ଅଛନ୍ତି ।
ଜିଲ୍ଲାପାଳମାନେ ଖୁବ୍ ଶୀଘ୍ର କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବା ପରେ ସରକାର ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମତବ୍ୟକ୍ତ କରିଛନ୍ତି ।