
କନ୍ଧମାଳ– ଦେଶରେ ପ୍ରଥମ ଥର ପାଇଁ ସରକାରୀ ଡାକ୍ତରଖାନାରେ ଲାଗିଲା ଫିଡ଼ବ୍ୟାକ କିଓସ୍କ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଡିଜିଟାଲ ଭାରତର ଏକ ଉଦାହରଣ କନ୍ଧମାଳ ଜିଲ୍ଲାରେ ଆଜି ଦେଖିବାକୁ ମିଳିଛି। ବାଲ ରକ୍ଷା ଭାରତର ସହାୟତାରେ ଏକ ନୂତନ ପଦକ୍ଷେପ ରୂପେ ଆଜି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ଫିଡ଼ବ୍ୟାକ କିଓସ୍କ” ର ଉଦ୍ଘାଟନ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଦାୟିତ୍ଵରେ ଥିବା ଡ଼ା. ଅକ୍ଷୟ କୁମାର ସାହୁଙ୍କ ଦ୍ୱାରା କରାଯାଇଛି। ଏହି କିଓସ୍କ ଦ୍ୱାରା ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ପାଉଥିବା ରୋଗୀ ଓ ତାଙ୍କର ସହଯୋଗୀମାନେ ସ୍ୱତନ୍ତ୍ର ଓ ସହଜ ଭାବରେ ନିଜର ପ୍ରତିକ୍ରିୟା ଦେଇପାରିବେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିକିତ୍ସା ସେବାର ଗୁଣବତ୍ତା ଉପରେ ନିରନ୍ତର ଅନୁସରଣ ଓ ସୁଧାରକୁ ସୁନିଶ୍ଚିତ କରିବା।
ବାଲ ରକ୍ଷା ଭାରତର ଓଡିଶା ମୁଖ୍ୟ ଡ଼ଃ. ଅଭିଜିତ୍ ଭଦ୍ର କାର୍ଯ୍ୟକ୍ରମ ବିଷୟରେ ସଂକ୍ଷେପ ବିବରଣୀ ଦେଇଥିଲେ। ଏହି ଅବସରରେ ୧୦୦୦ ଦିନର ଗୁରୁତ୍ୱ” ବିଷୟରେ ଆଲୋଚନା ହୋଇଥିଲା। ହେଲଥ ଏଟିଏମ, ଡିଜିଟାଲ ଷ୍ଟେଥୋସ୍କୋପ, ବିପଦସଂକୁଳ ଗର୍ଭବତୀ ମହିଳାଙ୍କ ଗୃହ ପରିଦର୍ଶନ, ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟ ପରାମର୍ଶ ଭଳି ସେବାଦ୍ବାରା ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ କିପରି ସୁଦୃଢ଼ିକରଣ କରାଯାଇ ପାରିବ ତାହା ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡ଼ଃ. ଅକ୍ଷୟ ସାହୁ, ମେଡିକାଲ କଲେଜ ଅଧ୍ୟକ୍ଷ ଡ଼ା. ନରେନ୍ଦ୍ର ବେହେରା, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ଶ୍ରୀମତୀ ଗୀତାଞ୍ଜଳି ଦାସ, ଡିପିଏଚ୍ଓ ଡ଼ଃ. କଲ୍ୟାଣୀ ମିଶ୍ର, ଡ଼ଃ. ପ୍ରସନ୍ନ ତ୍ରିପାଠୀ, ପିଓ ସରୋଜଲତା ଦେଇ, ସ୍ବେଛାସେବୀ ଅନୁଷ୍ଠାନ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ, ରମେଶ ଚନ୍ଦ୍ର ମହାନ୍ତି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାଲ ରକ୍ଷା ଭାରତର କାର୍ଯ୍ୟକାରୀ ବିଭାଗ ମୁଖ୍ୟ ପ୍ରଦୀପ ମିଶ୍ର ଦେଶରେ ପ୍ରଥମ ଥର ଭାବେ ସରକାରୀ ଡାକ୍ତରଖାନାରେ ଏହି ବ୍ୟବସ୍ଥା ଆରମ୍ଭ ହେବା ବିଷୟରେ ସୂଚନା ଦେଇଥିଲେ। ସେ କହିଲେ, “ଏହି ଉଦ୍ୟମ ଚିକିତ୍ସା ସେବାର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ସହ ବିଶ୍ୱାସ ଓ ସାମ୍ପ୍ରସାରଣ କ୍ଷେତ୍ରରେ ମାଇଲ୍ଷ୍ଟୋନ୍ ରୂପେ ପ୍ରମାଣିତ ହେବ।”
ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡି କର୍ମୀ ଓ ଯୁବ ଚାମ୍ପିୟନମାନେ ନିଜ ଅଭିଜ୍ଞତା ଆଲୋଚନା କରିଥିଲେ । ବିଭିନ୍ନ ଅଂଶଗ୍ରହଣକାରୀ ମାନଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।